ଅଭିନେତା ବିଜୟ ମହାନ୍ତିଙ୍କ ଘରବାହୁଡ଼ା: ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଫେରୁଛନ୍ତି ଓଡିଶା; ଝିଅ ପାଖକୁ ଯାଇଥିବା ବେଳେ ହୋଇପଡିଥିଲେ ଅସୁସ୍ଥ

ଆସନ୍ତକାଲି ଫେରିବେ ଭୁବନେଶ୍ୱର

724

କନକ ବ୍ୟୁରୋ: ଓଡିଶା ଫେରୁଛନ୍ତି ଭେଟେରାନ୍ ଅଭିନେତା ବିଜୟ ମହାନ୍ତି । ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିବେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ ଏବଂ ଅଭିନେତା ଅଖିଳ ପଟ୍ଟନାୟକଙ୍କ ଉଦ୍ୟମରେ ଜରିଆରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଆସୁଛନ୍ତି ।

ଓଡ଼ିଆ ସିନେମା ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ଏହି ଚିତ୍ର ହୁଏତ ଲକ୍ଷାଧିକ ସିନେ ପ୍ରଶଂସକଙ୍କୁ ବିବ୍ରତ କରୁଥିବ କିନ୍ତୁ ବିଜୟ ମହାନ୍ତି ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି । ହାଇଦ୍ରାବାଦରେ ରହୁଥିବା ଝିଅପାଖକୁ ଯାଇ ଅଚାନକ୍ ଅସୁସ୍ଥ ହୋଇପଡ଼ିଥିବା ବିଜୟ ମହାନ୍ତି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରୁଛନ୍ତି ।ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ଭୁବନେଶ୍ୱର ଫେରି ଆସିବାକୁ ନିଷ୍ପତି ନେଇଛନ୍ତି । ନିଜ ଜନ୍ମମାଟିରେ ସେ ଅଧିକ ଆଶ୍ୱସ୍ତ ଅନୁଭବ କରିବେ, ସେଇ ଲକ୍ଷ୍ୟ ନେଇ ଭୁବନେଶ୍ୱର ଫେରୁଛନ୍ତି ବିଜୟ ।

ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ କ୍ରମେ ଏକ ଡାକ୍ତରୀ ଟିମ୍ ହାଇଦ୍ରାବାଦ ଯାଇ ବିଜୟଙ୍କୁ ଭୁବନେଶ୍ୱର ଆଣୁଛନ୍ତି । ପ୍ରାୟ ୨୦ ଘଂଟାର ଲମ୍ବା ଯାତ୍ରା ଥିବାରୁ ଆବଶ୍ୟକ ସ୍ଥଳେ ତାଙ୍କୁ ବିଶାଖାପାଟଣା କିମ୍ବା ଆଖପାଖ ହସ୍ପିଟାଲରେ ବିଶ୍ରାମ ପାଇଁ ମଧ୍ୟ ରଖିବାର ବନ୍ଦୋବସ୍ତ କରାଯାଇଛି । ବିଜୟଙ୍କୁ ଏୟାର ଆମ୍ବୁଲାନ୍ସରେ ଆଣିବା ପାଇଁ ପ୍ରଥମେ ବିଚାର କରାଯାଉଥିଲା । ତେବେ ଏହା ଅଧିକ ବ୍ୟୟ ବହୁଳ ଥିବାରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର ଆଣିବାକୁ ନିଷ୍ପତି ହୋଇଥିଲା । ବିଜୟ ମହାନ୍ତି ରବିବାର ୧୦ଟାରୁ ୧୧ଟା ଭିତରେ ଭୁବନେଶ୍ୱର ପହଂଚିବେ ।