କନକ ବ୍ୟୁରୋ: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ବିଜୟ ମହାନ୍ତି ଏବେ ଆଇସିୟୁରେ ଅଛନ୍ତି । ମିଳିଥିବା ଖବର ଅନୁସାର, ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ବିଜୟ ମହାନ୍ତି ଓଲିଉଡର ଜଣେ ଜଣାଶୁଣା ଓ ପରିଚିତ ନାଁ । ଅନେକ ଓଡିଆ ହିଟ ଫିଲ୍ମ ଓ ଧାରାବାହିକରେ ନିଖୁଣ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି । ଚିଲିକା ତୀରେ, ଜଗା ହାତରେ ପଘା, କି ହେବ ଶୁଆ ପୋଷିଲେ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି ।
ତେବେ ୧୯୫୦ ମସିହାରେ କେନ୍ଦ୍ରପଡ଼ାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟ ମହାନ୍ତିଙ୍କ ପିଲାଦିନ ବାରିପଦାରେ କଟିଛି। ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ସେ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ସ୍ନାତକ ପରେ ସେ ପୁଣି ନ୍ୟାସନ୍ୟାଲ ସ୍କୁଲ ଅଫ୍ ଡ଼୍ରାମାରେ ନାମ ଲେଖାଇଥିଲେ। ନାୟକ ଠାରୁ ଆରମ୍ଭ କରି ଖଳନାୟକ, ହାସ୍ୟଅଭିନେତା ଓ ନିର୍ଦ୍ଦେଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।
ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି। ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ନିଜକୁ ପଛରେ ଛାଡ଼ନାହାନ୍ତି ବିଜୟ। ୨୦୧୪ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀତ୍ୱ କରିଥିଲେ। ତେବେ ସେ ଏବେ ରାଜନୀତିରୁ ପ୍ରାୟ ଦୂରେଇ ଯାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/15-20.jpg)