ହାରିଲା କରୋନା ଜିତିଲା ଜୀବନ…କରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ବୃଦ୍ଧ ସୈନିକ

564

କନକ ବ୍ୟୁରୋ: କରୋନାକୁ ମାତ୍ ଦେଲେ ୯୯ ବର୍ଷୀୟ ଯୋଦ୍ଧା । ଏକଦା ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାମିଲ ହୋଇଥିବା ଇଂଲଣ୍ଡର ସୈନିକ ଅଲବର୍ଟ ଚାମ୍ବର୍ସ କରୋନାରେ ଆକ୍ରାନ୍ତ ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ସେ ସୁସ୍ଥ ହୋଇଛନ୍ତି । ଡାକ୍ତରଖାନାରୁ ବାହାରିବା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଯୋଦ୍ଧା । ଏବଂ ପ୍ରତି ଉତରରେ ତାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହାରିଲା କରୋନା ଜିତିଲା ଜୀବନ । କରୋନାକୁ ମାତ୍ ଦେଲେ ୯୯ବର୍ଷୀୟ ବୃଦ୍ଧ ସୈନିକ । ସାରା ବିଶ୍ୱରେ କରୋନାର ଆତଙ୍କ ଭିତରେ ଆସିଛି କିଛି ଆଶ୍ୱସ୍ତିକର ଖବର । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଯୋଦ୍ଧା ଥିବା ଇଂଲଣ୍ଡର ୯୯ ବର୍ଷୀୟ ବୃଦ୍ଧ କରୋନାକୁ ମାତ୍ ଦେଇଛନ୍ତି । କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ଇଂଲଣ୍ଡର ସାଉଥ ୟର୍କସାୟର ହସ୍ପିଟାଲରେ ଭର୍ତି ହୋଇଥିବା ୯୯ବର୍ଷୀୟ ଅଲବର୍ଟ ଚାମ୍ବର୍ସ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଉପଯୁକ୍ତି ଚିକିତ୍ସା ସେବା ପାଇବା ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହୋଇ ଫେରିବା ବେଳେ ସେ ସ୍ୱାସ୍ଥ୍ୟକର୍ମୀଙ୍କ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସ୍ୱାସ୍ଥ୍ୟକର୍ମ ମାନେ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆସନ୍ତା ଜୁଲାଇ ମାସରେ ୧୦୦ବର୍ଷରେ ପାଦ ଦେବେ ଯୋଦ୍ଧା ଅଲବର୍ଟ ଚାମ୍ବର୍ସ । ଏବଂ ଏହି ବୟସରେ ସେ କରୋନାକୁ ମାତ୍ ଦେବା ସମସ୍ତଙ୍କୁ ଯେତିକି ଖୁସି ଦେଇଛି ସେତିକି ଚକିତ ମଧ୍ୟ କରିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାମିଲ ହୋଇଥିବା ଏହି ଯୋଦ୍ଧା ବକିଙ୍ଗହମ ପ୍ୟାଲେସର ସୁରକ୍ଷା ଦାୟିତ୍ୱରେ ମଧ୍ୟ ରହିଥିଲେ । ଇଂଲଣ୍ଡରେ ୭୩ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୩୪୪ଜଣ ସୁସ୍ଥ ହୋଇଛନ୍ତି ।