ଶେଷରେ ସେଇଠିକୁ ଫେରିଯିବ ‘ସୁନ୍ଦରୀ’ । ହାତ ଟେକିଦେଲା ବନବିଭାଗ, ଯେ କୌଣସି ମୁହୂର୍ତ୍ତରେ ‘ସୁନ୍ଦରୀ’କୁ ଫେରାଇ ନେଇପାରନ୍ତି ମଧ୍ୟପ୍ରଦେଶ ସରକାର ।

250

କନକ ବ୍ୟୁରୋ: ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷଙ୍କ ତାଗିଦ ପରେ ବାଘୁଣୀ ଫେରେଇବାକୁ ନିଷ୍ପତି ନେଇଛି ରାଜ୍ୟ ବନବିଭାଗ । ବର୍ଷାଧିକ କାଳ ଏନକ୍ଲୋଜରରେ ବନ୍ଦୀ ରହିବା ପରେ ଏବେ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରକୁ ଫେରାଇ ନିଆଯିବ । ଯେଉଁଠାରେ ବାଘୁଣୀର ଜଙ୍ଗଲୀ ପ୍ରବୃତି ଫେରେଇଆଣିବାକୁ ଚେଷ୍ଟା କରାଯିବ । କାହ୍ନା ଅଭୟାରଣ୍ୟର ଏକ ବିଶେଷଜ୍ଞ ଟିମ୍ ସୁନ୍ଦରୀକୁ ସାତକୋଶିଆରୁ ଫେରେଇନେବ । ଏ ସମ୍ପର୍କରେ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛି ବନବିଭାଗ ।

ବାଘୁଣୀ ଫେରିବା ସହ ବନ୍ଦ ହୋଇଯିବ ବହୁ ଆକାଂକ୍ଷିତ ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୨୦୧୮ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆରମ୍ଭରୁ ହିଁ ଲାଗିଥିଲା ଧକ୍କା । ଏପରିକି ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ ମହାବୀର ମାତ୍ର ୪ ମାସ ପରେ ଶିକାରୀ ଫାଶରେ ପଡି ମୃତ୍ୟୁବରଣ କରିଥିଲା । ପରେ  ବାଘୁଣୀ ସୁନ୍ଦରୀକୁ ଦୁଇ ଦୁଇଟି ମଣିଷ ମାରିଥିବା ଅଭିଯୋଗରେ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟିବାକୁ ପଡିଥିଲା ।

ସାତକୋଶିଆକୁ ବାଘ ଆଣିବା ପରେ ବାହା ବାହା ଗୋଟାଇଥିଲା ରାଜ୍ୟ ବନବିଭାଗ । କିନ୍ତୁ ପରିଚାଳନାଗତ ତ୍ରୁଟି ଓ ରାଜ୍ୟ ବନବିଭାଗର ଖାମଖିଆଲି ନୀତି ଯୋଗୁ ଏହି ପ୍ରକଳ୍ପ ଫେଲ୍ ମାରିବା ନେଇ ସ୍ପଷ୍ଟ କରିଛି ଏନଟିସିଏ । ତେଣୁ ବର୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଯେଉଁ ଅଧିକାରୀମାନେ ଏହି ତ୍ରୁଟି ପାଇଁ ଦାୟୀ, ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର ।