ଚଳିତ ବର୍ଷ କଟକଣା ଯୁକ୍ତ ରଥଯାତ୍ରା ହେବା ନେଇ ସଂକେତ ଦେଲେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ସେପଟେ ଶୀଘ୍ର ନିଷ୍ପତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

453

କନକ ବ୍ୟୁରୋ: କଟକଣା ଯୁକ୍ତ ହୋଇପାରେ ଏଥରର ରଥଯାତ୍ରା । ଏନେଇ ସଂକେତ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ରାମଚନ୍ଦ୍ର କହିଛନ୍ତି, କରୋନା ସଂକ୍ରମଣକୁ ଏଡାଇବା ପାଇଁ ଏ ସଂପର୍କିତ କଟକଣାକୁ ସେବାୟତମାନେ ମାନି କାମ କରିବେ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୂୁସାରେ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଚଳିତଥର ରଥଯାତ୍ରା କଟକଣା ଯୁକ୍ତ ହେବ କି ବୋଲି, ପ୍ରଶ୍ନର ଉତରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥ ଯାତ୍ରା ସହିତ କୋଟି କୋଟି ଓଡିଆଙ୍କର ଭାବାବେଗ ଜଡିତ । ଏହା ଆମ ଓଡିଆ ଜାତି ତଥା ରାଜ୍ୟର ସଂସ୍କୃତିର ପରିଚୟ । ବର୍ତମାନ କରୋନାର କଳାବାଦଲ ଛାଇ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରାକୁ ନେଇ ସନ୍ଦେହ ଦେଖାଦେଇଥିବା ଗଣମାଧ୍ୟମ ଗୁଡିକରେ ରିପୋର୍ଟ ଆସୁଛି । ଏହା ଓଡିଆ ଲୋକଙ୍କୁ ବିବ୍ରତ କରୁଛି । ତେଣୁ ରଥ ଯାତ୍ରା ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ମୁକ୍ତିମଣ୍ଡପ ପଣ୍ଡିତ, ଦଇତାପତି, ମନ୍ଦିର ସେବାୟତ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବର୍ତମାନର ସ୍ଥିତି ଦେଖି ରଥ ଯାତ୍ରାକୁ ନେଇ ନିଷ୍ପତି ନିଆଯାଉ ବୋଲି ଚିଠିରେ ଉଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।