ଆସୁଛି ବଡ ବର୍ଷା ! କେଉଁ ଦିନ କେଉଁ ଜିଲ୍ଲାରେ ହେବ ବର୍ଷା ?

471

କନକ ବ୍ୟୁରୋ : ଉତ୍ତର ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୭ ଦିନରେ ଦୁଇଟି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ୧୧ତାରିଖ ଦିନ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟାରେ ତାହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ପ୍ରଭାବରେ ୧୧ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୧୨ ଓ ୧୩ ତାରିଖରେ ବର୍ଷାର ବିସ୍ତୃତି ଓ ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ଲଘୁଚାପ ପ୍ରଭାବରେ ୧୧ ତାରିଖ ଦିନ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୨ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଗଜପତି, ନୟାଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୩ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ଓଡ଼ିଶା ଉପକୂଳସ୍ଥିତ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଅଧିକ ରହିବ ।

ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତାହା ଚଳିତ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ ହେବ । ଏହା ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ । ଲଘୁଚାପ ଯୋଗୁଁ ରାଜ୍ୟରେ ସମୁଦାୟ ବର୍ଷା ୮୦ ମିମି ହୋଇପାରେ। ସମ୍ଭା‌ବ୍ୟ ଲଘୁଚାପ ଫଳରେ ସେପ୍ଟେମ୍ବର ମାସର ବର୍ଷା ସ୍ବାଭାବିକ ପରିମାଣରୁ ଅଧିକ ହୋଇପାରେ। ଖାଲି ପଡ଼ିଥିବା ଢିପା ଜମିରେ ପାଗ ଦେଖି ବର୍ତ୍ତମାନଠାରୁ ପ୍ରାକ୍‌-ରବି ଅଣଧାନ ଫସଲ ରୋଇବାକୁ ଡ. ପଶୁପାଳକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି ।