ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । କରୋନାକୁ ରାକ୍ଷସ ସହ ତୁଳନା କଲେ ରାଷ୍ଟ୍ରପତି ଜିନପିଙ୍ଗ୍

254

କନକ ବ୍ୟୁରୋ : ବିଶ୍ୱ ବ୍ୟାପି ଆତଙ୍କ ଖେଳାଇଛି କୋରୋନା ଭାଇରସ । ବିଶେଷକରି ଚୀନରେ ଏହା ମହାମାରୀର ରୂପ ଧାରଣ କରିଛି । ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍ ଏହାକୁ ରାକ୍ଷସ ସହ ତୁଳନା କରିବା ସହ ତାସହ ଲଢ଼େଇ କରୁଛନ୍ତି ବୋଲି କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି ଜିନପିଙ୍ଗ୍ । ଏହା ସହିତ କରୋନା ଭାଇରସ୍ ପ୍ରଭାବିତ ଅଂଚଳରେ ଫଶିଥିବା ବିଦେଶୀ ନାଗରୀକଙ୍କୁ ଏୟାରଲିଫ୍ଟ ସହାୟତାରେ ଉଦ୍ଧାର କରିବା ପାଇଁ ଚୀନ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି । ସେପଟେ ଜାପାନ ଓ ଆମେରିକା ଚୀନରେ ଫଶିଥିବା ସେମାନଙ୍କ ଦେଶର ନାଗରୀକଙ୍କୁ ସ୍ୱତନ୍ତ୍ର ଏୟାରଲିଫ୍ଟ ସହାୟତାରେ ଉଦ୍ଧାର କରିଥିବା ଜଣାପଡିଛି ।

ଜର୍ମାନୀ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ଖୁବ୍ ଶୀଘ୍ର ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି । ଅନ୍ୟପଟେ କରୋନା ଭାଇରସର ଉତ୍ପତି ସ୍ଥଳ ଉହାନରେ ଫଶିଥିବା ୭ଭାରତୀୟ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । କରୋନା ଭାଇରସ୍ ସଂକ୍ରମଣର ଭୟ ସାଙ୍ଗକୁ ସହରରେ ଦୋକାନ ବଜାର ବନ୍ଦ ରହିଥିବା କାରଣରୁ ସୋମନଙ୍କ ନିକଟରେ ଥିବା ଖାଦ୍ୟ ଓ ପାନୀୟ ଜଳ ସରି ସରି ଆସୁଛି ବୋଲି ସେମାନେ ଜଣାଇଛନ୍ତି । ଖୁବ୍ ଶୀଘ୍ର ଏହି ଛାତ୍ରମାନଙ୍କୁ ଉଦ୍ଧାର କରାଯିବବୋଲି ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚୀନରେ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଭାରତରେ ଗୋଟିଏ ବି କୋରୋନ ଭାଇରସ୍ ପଜିଟିଭ୍ ଆସିନଥିବା ସୂଚନା ଦେଇଛି କେନ୍ଦ୍ର ।