କନକ ବ୍ୟୁରୋ : ଓଡ଼ିଆ ଭାଷାରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି ।  ଜୁଲାଇ ୧୯ରେ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ମଙ୍ଗଳବାର ଦିନ ରାୟ ପ୍ରକାଶ କରିଛନ୍ତି । ଓଡ଼ିଆରେ ୪୧ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଅବସରକୁ ଚିର ସ୍ମରଣୀୟ କରି ରଖିବ ।

୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରତିଷ୍ଠିତ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍‌’ର ପ୍ରଶଂସା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ବରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।

ପ୍ରଧାନ ବିଚାରପତି କହିଥିବା କଥା ଆଜି କାର୍ଯ୍ୟକାରୀ ହୋଇଛି । ନ୍ୟାୟମୂର୍ତ୍ତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ ଓଡ଼ିଆ ଭାଷାରେ ହାଇକୋର୍ଟର ଏହି ପ୍ରଥମ ରାୟକୁ ପ୍ରକାଶ କରିଛନ୍ତି । ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି । କିନ୍ତୁ ମାତୃଭାଷାରେ ରାୟ ପ୍ରକା‌ଶ ପରେ ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ । ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ‌ସେମାନଙ୍କ ପାଇଁ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି ।