ରାଜନୀତିରେ ଦାମ-ବିଷ୍ଣୁ ଉପାଖ୍ୟାନ ! ଦଳରୁ ବହିଷ୍କାର ପରେ ତୁଟୁନି ବିବାଦ । ବ୍ୟକ୍ତିଗତ ସ୍ତରରେ ଆରୋପ-ପ୍ରତ୍ୟାରୋପ ଜୋରଦାର । ସେପଟେ କୁଜଙ୍ଗରେ ସମାବେଶ ପାଇଁ ଦାମଙ୍କ ପ୍ରସ୍ତୁତି

30

କନକ ବ୍ୟୁରୋ: ବିଜେଡିକୁ ବିଦା ହେବା ପରେ ପାରାଦୀପ ବିଧାୟକ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ଗୋଟିଏ ପଟେ ଦାମ ରାଉତ ଓ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଷ୍ଣୁ ଦାସଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଁଚିଛି । ଅନ୍ୟପଟେ କୁଜଙ୍ଗରେ ବଡ଼ ସମାବେଶ କରି ନବୀନ ବିରୋଧୀଙ୍କୁ ଏକାଠି କରିବାକୁ ଅଂଟା ଭିଡିଛନ୍ତି ଦାମ ରାଉତ ।

ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମ ରାଉତଙ୍କ ପରବର୍ତି ପଦକ୍ଷେପ କ’ଣ ହେବ, ଏ ନେଇ ଚର୍ଚ୍ଚା ଯେତିକି ବଢୁଛି, ସେତିକି ବଢୁଛି ଦାମ – ବିଷ୍ଣୁଙ୍କ ମଧ୍ୟରେ ବାଦି ପାଲା । ଆଲୋଚନା ସମାଲୋଚନା ଭିତରେ କୁଜଙ୍ଗରେ ବଡ଼ ସମାବେଶ କରିବାକୁ ଯୋଜନା କରୁଛନ୍ତି ଦାମ ରାଉତ । ଅବଶ୍ୟ ଏପରି ଆୟୋଜନ ସେ ନିଜେ କରୁନାହାନ୍ତି, ବରଂ ଲୋକେ ଆୟୋଜନ କରି ତାଙ୍କୁ ଡାକୁଛନ୍ତି ବୋଲି ବୁଲେଇ ବଙ୍କେଇ କହୁଛନ୍ତି ପାରାଦୀପ ବିଧାୟକ । ତେବେ ଲକ୍ଷ୍ୟ ରହିଛି, ବିଜୁ ଅନୁଗତ ତଥା ନବୀନ ବିରୋଧୀମାନଙ୍କୁ ଏକାଠି କରିବା ।

ତେବେ ଚର୍ଚ୍ଚା ହେଉଛି କି, ଦାମବାବୁଙ୍କ ଏହି ସମାବେଶରେ ଯୋଗଦେବେ ନବୀନଙ୍କୁ ବିରୋଧ କରୁଥିବା ବହୁ ନେତା । କିନ୍ତୁ ଡାକ୍ତର ରାଉତ ଏହାକୁ ଅସ୍ୱୀକାର କରିଛନ୍ତି । ତେବେ ଆଗକୁ ସମାବେଶ କରି ବିଜୁ ଚିନ୍ତାରେ ବିଶ୍ୱାସ କରୁଥିବା ନେତାଙ୍କୁ ଏକାଠି କରିବା ସମ୍ଭାବନାକୁ ଆଡେଇ ଦେଇନାହାନ୍ତି ।  ସେପଟେ ଦାମ ଓ ବିଷ୍ଣୁଙ୍କ ଆକ୍ଷେପ-ପ୍ରତି ଆକ୍ଷେପ ଚରମ ସୀମାରେ ପହଁଚିଛି । ପରସ୍ପରର କୌଣସି କଥାକୁ ସହି ପାରୁନାହାନ୍ତି ଦୁଇ ନେତା । ଏପରିକି ବ୍ୟକ୍ତିଗତ ସ୍ତରରେ ପହଁଚି ଯାଇଛି ଦୁହିଁଙ୍କ ମଧ୍ୟରେ କଥା କଟାକଟି ।

ଦଳରୁ ବହିଷ୍କୃତ ହେବା ପରେ ଗତକାଲି ପାରାଦୀପରେ ଦାମବାବୁ ଯେଉଁ କର୍ମୀ ସମିଳନୀରେ ଯୋଗ ଦେଇଥିଲେ, ସେଥିରେ ତାଙ୍କର ଅନେକ ଖାସ୍ ଅନୁଗତଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଏହାକୁ ଅସ୍ୱୀକାର କରିବା ସହ ଦାମ କହିଛନ୍ତି ବଡ଼ ସମାବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କର ସମର୍ଥକ । ବିଜେଡିରୁ ବିଦା ହେବା ପରେ ଦଳକୁ ହରଡ଼ଘଣାରେ ପକାଇବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦାମ ।

 

ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ବିଭିନ୍ନ ଦୁର୍ନୀତି ଅଭିଯୋଗ ଉଠାଇବା ପରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପି ଆଜି ସାମ୍ବାଦିକ ସମ୍ବିଳନୀ ଅଭିଯୋଗ କରିଛି ଯେ, ବିଜେଡି ସୁପ୍ରିମୋ ଦୁର୍ନୀତି ଅଭିଯୋଗ ଆସିଲେ ନେତାଙ୍କୁ ବାହାର କରନ୍ତି ଏବଂ ପରବର୍ତୀ ସମୟ ପୁଣି ଦଳକୁ ଆଣି ସମ୍ମାନିତ କରନ୍ତି । ଜବାବ୍ରେ ବିଜେଡି କହିଛି-ବିଜେଡି କ’ଣ କରୁଛି, ତାହା ଚିନ୍ତା କରିବା ବଦଳରେ ବିଜେପି ସରକାର ଦେଇଥିବା ପ୍ରତିଶୂତିର କ’ଣ ହେଲା ତାର ଜବାବ ରଖୁ ।