କନକ ବ୍ୟୁରୋ : ରାଜ୍ୟରେ ଗତ ୮ ଦିନ ହେଲା ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଉପରେ ରହୁଛି । ଏହାରି ଭିତରେ ଗୁରୁତର ରୋଗୀଙ୍କୁ ଭେଂଟିଲେଟର ମିଳୁନଥିବା ଅଭିଯୋଗ ହେଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପିଏମ୍ କେୟାର୍ସ ଫଣ୍ଡରୁ ଓଡ଼ିଶା ପାଇଥିବା ଭେଂଟିଲେଟରରୁ ଦୁଇ-ତୃତୀୟାଂଶରୁ ଅଧିକ ବ୍ୟବହାର ନହୋଇ ପଡିରହିଛି ।
ଓଡ଼ିଶାକୁ କେନ୍ଦ୍ର ଦେଇଛି ଭେଂଟିଲେଟର । ବ୍ୟବହାର ହୋଇପାରିଛି ଏକ-ତୃତୀୟାଂଶରୁ କମ୍ । ରାଜ୍ୟରେ ଆଇସିୟୁ ବେଡ୍ ଓ ଭେଂଟିଲେଟର ମିଳୁନଥିବା ନେଇ ପୁଳା ପୁଳା ଅଭିଯୋଗ ଆସୁଥିବା ବେଳେ ରାଜ୍ୟସଭାରେ ଏମିତି କିଛି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କଂଗ୍ରେସ ସାଂସଦ ରାଜୀବ ସତାବଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ପିଏମ କେୟାର୍ସ ଫଣ୍ଡରୁ କେଉଁ ରାଜ୍ୟକୁ କେତେ ଭେଂଟିଲେଟର ଦିଆଯାଇଛି, ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ପୂରା ହିସାବ ରଖିଛନ୍ତି । ରାଜ୍ୟଗୁଡିକୁ ମୋଟ ୩୨,୧୦୯ ଭେଂଟିଲେଟର ଦିଆଯାଇଛି, ଏଥିପାଇଁ ପିଏମ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହୋଇଛି ପ୍ରାୟ ୮୯୯ କୋଟି ଟଙ୍କା । ସେଥିମଧ୍ୟରୁ ବ୍ୟବହାର ହୋଇଛି ୨୦,୯୧୬ ଭେଂଟିଲେଟର । ତେବେ ଓଡ଼ିଶା ପାଇଥିବା ଭେଂଟିଲେଟରରୁ ଦୁଇ-ତୃତୀୟାଂଶରୁ ଅଧିକ ବ୍ୟବହାର ନହୋଇ ପଡିରହିଛି ।
ନଜର ପକାନ୍ତୁ କେତେ ଭେଂଟିଲେଟର ପାଇଛି ଓଡ଼ିଶା ?
ପିଏମ କେୟାର୍ସ ଫଣ୍ଡରୁ ମିଳିଛି ୫୬୭ ଭେଂଟିଲେଟର
ବ୍ୟବହାର ହୋଇଛି ମାତ୍ର ୧୪୭ ଭେଂଟିଲେଟର
୪୨୦ ଭେଂଟିଲେଟର ବ୍ୟବହାର ନହୋଇ ପଡିରହିଛି
ଜାତୀୟ ଗଣମାଧ୍ୟମକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଯେତେବେଳେ ଆବଶ୍ୟକ ପଡିବ କେନ୍ଦ୍ର ଦେଇଥିବା ଭେଂଟିଲେଟରକୁ ଇନଷ୍ଟଲ କରାଯିବ । କେବଳ ଭେଂଟିଲେଟର ନୁହେଁ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ବେଶ ପଛରେ ପଡିଛି ।
ନଜର ପକାନ୍ତୁ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ
ରାଜ୍ୟରେ ୫,୪୪୬ ଲୋକଙ୍କ ପିଛା ଜଣେ ଡାକ୍ତର
ଦେଶରେ ୧,୪୫୭ ଲୋକଙ୍କ ପିଛା ଜଣେ ଡାକ୍ତର
ଡବ୍ଲୁଏଚଓ ଅନୁସାରେ ୧,୦୦୦ ଲୋକଙ୍କ ପିଛା ଜଣେ ଡାକ୍ତର ରହିବା କଥା
ଏବେ ନଜର ପକାଇବା ରାଜ୍ୟ ସରକାରଙ୍କ କୋଭିଡ୍ ହସପିଟାଲର ସ୍ଥିତି ଉପରେ । ୧ ଲକ୍ଷ ଜନସଂଖ୍ୟା ପିଛା ୬୨ ଜେନେରାଲ ବେଡ୍, ୩ ଆଇସିୟୁ, ୧ ଭେଂଟିଲେଟର ରହିଛି । ଗତ ୮ ଦିନ ଧରି ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଯୋଡି ହେଉଥିବା ବେଳେ ଗୁରୁତର ରୋଗୀଙ୍କୁ ଭେଂଟିଲେଟର ମିଳୁନଥିବା ଅଭିଯୋଗ ଆସୁଛି । ଏପରି ସ୍ଥିତିରେ କାହିଁକି କେନ୍ଦ୍ର ଦେଇଥିବା ୪୨୦ ଭେଂଟିଲେଟରକୁ ରାଜ୍ୟ ସରକାର ବ୍ୟବହାର କରୁନାହାନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/19-25.jpg)