କନକ ବ୍ୟୁରୋ: ବିଷଧର ସାପକୁ ଦେଖିଲେ ଲୋକେ ଭୟଭୀତ ହୋଇପଡନ୍ତି । ଆତଙ୍କିତ ହୋଇପଡନ୍ତି । କିନ୍ତୁ ଏଠି ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ସେହି ବିଷଧର ସାପକୁ ଧରି ବ୍ୟବସାୟ କରନ୍ତି । ବିଷଧର ସାପ ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଆଜି ସେମିତି ଏକ ବିଷଧର ସାପ ତସ୍କର ର୍ୟାକେଟକୁ ବାଲେଶ୍ୱର ବାଲିଆପାଳ ଥାନା ନୂଆ ଗାଁ ପଂଚୁପାଲି ଅଂଚଳରୁ ଧରିବାରେ ସକ୍ଷମ ହୋଇଛି ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ତେବେ ସାପ ଗୁଡିକୁ ସୁବର୍ଣ୍ଣରେଖା ନଦୀ କୂଳରେ ଛାଡିବା ପାଇଁ ରଖିଥିଲେ ବୋଲି କହିଛନ୍ତି ଅଭିଯୁକ୍ତ ।

Advertisment

ପ୍ଲାଷ୍ଟିକ ଡବା ଗୁଡିକ ଥାକ ଥାକ ହୋଇରହିଥିଲା ସାପ । ଆଉ ତା ଭିତରେ ଅଛନ୍ତି ବିଷଧର ସାପ । ସେହି ସାପ ଗୁଡିକ ଭିତରେ ରହିଛନ୍ତି ନାଗ ଓ ତମ୍ପ ପ୍ରଜାତିର ବିଷଧର ସାପ । କିନ୍ତୁ ଜବତ ହୋଇଥିବା ସାପ ଗୁଡିକର ବିଷ ଦାନ୍ତକୁ ଅଭିଯୁକ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ତେବେ କାମୁଡିବାର ଭୟ ଥିବାରୁ ସାପର ଦାନ୍ତ ଭାଙ୍ଗି ଦେଇଥିବା କହିଛନ୍ତି ଅଭିଯୁକ୍ତ ।

ତେବେ ଏହି ର୍ୟାକେଟ ରାଜ୍ୟ ବାହାରକୁ ଲମ୍ବିଥିବା ଆଶଙ୍କା କରିଛନ୍ତି ସ୍ନେକ ହେଲପଲାଇନ ସାଧାରଣ ସମ୍ପାଦକ । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଚଢ଼ାଉ କରି ସାପ ବିଷ ଜବତ କରିବା ସହ ଚାଲାଣକାରୀଙ୍କୁ ଧରିଥିଲା ବନବିଭାଗ । ଏବେ ଏହି ଜୀବନ୍ତ ସାପ ଧରାପଡିବା ଘଟଣା ପ୍ରମାଣିତ କରୁଛି ଯେ ରାଜ୍ୟରେ ସାପ ବିଷ ଓ ବିଷଧର ସାପ ଚାଲାଣର ଏକ ବଡ ର୍ୟାକେଟ ସକ୍ରିୟ ରହିଛି ।