କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ ସିମ୍ ବୋଲର ଭେଙ୍କଟେଶ ପ୍ରସାଦ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଆସନ୍ତାକାଲି ବାରବାଟୀରେ ଭାରତ-ୱେଷ୍ଟ ଇଣ୍ଡିଜ୍ ମ୍ୟାଚ ଥିବା ବେଳେ ଏହି ଅବସରରେ ଓଡିଶା ଆସିଛନ୍ତି ଭେଙ୍କଟେଶ । ଏହା ପୂର୍ବରୁ ଆଜି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଗସ୍ତ କରିଛନ୍ତି । ତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପାଛୋଟି ନିଆଯାଇଥିଲା ।
ଅନ୍ୟପଟେ, ଆସନ୍ତାକାଲି ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ବାରବାଟୀରେ ଅଭ୍ୟାସ କରୁଛି ଭାରତୀୟ ଦଳ । ଅଭ୍ୟାସରୁ ଦୁଇ ଓପନରଙ୍କୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରୋହିତ ଓ ରାହୁଲ ଏବଂ ଦ୍ରୁତ ବୋଲର ମହମ୍ମଦ ସାମିରେ ଅଭ୍ୟାସ ବେଳେ ଦେଖିବାକୁ ମିଳିନି । ଖେଳାଳିଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟମରେ ସୁରକ୍ଷା କଡାକଡି କରାଯାଇଛି । କୋହଲି ବାହିନୀ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରାୟ ସକାଳ ସାଢେ ୯ଟାରେ ବାରବାଟୀ ଅଭିମୁଖେ ବାହାରିଥିଲେ । କଡା ସୁରକ୍ଷା ବଳୟରେ ଭାରତୀୟ ଖେଳାଳି ବାରବାଟୀରେ ପହଂଚିଛନ୍ତି ।
ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ଷ୍ଟାଡିୟମ ବାହାରେ, ରାସ୍ତାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଛି । ବାରବାଟୀରେ ଅଭ୍ୟାସ କରିବା ପରେ ଅପରାହ୍ନ ୨ଟାରେ ଭୁବନେଶ୍ୱର ଫେରି ଆସିବ ଭାରତୀୟ ଦଳ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳ ଦିନ ଗୋଟିଏରେ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବ । ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ଗତକାଲି ବାରବାଟୀ ଷ୍ଟାଡିୟମ୍ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ପୁଲିସ୍ ଡିଜି ।