ଯେବେ ଭାରତ ହାରିବା ଦେଖି ଭେଙ୍କଟେଶଙ୍କୁ ଜ୍ୱର ହୋଇଥିଲା । ଏବେ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଆସିଛି ଡାକରା ।

200

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ବିସ୍ଫୋରକ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ପ୍ରଥମ ଥର ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ୨୦୨୧ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ । ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ସ୍ୱତନ୍ତ୍ର ଛାଡିଥିବା ଆୟରଙ୍କ ଉପରେ ଏବେ ଚୟନକର୍ତ୍ତାଙ୍କ ଶୁଭଦୃଷ୍ଟି ପଡିଛି । ତେବେ ଚଳିତ ଆଇପିଏଲର ଦ୍ୱିତୀୟ ଭାଗ ପୂର୍ବରୁ ଆୟରଙ୍କ ବାବଦରେ ଏତେଟା କେହି ଜାଣିନଥିଲେ । କିନ୍ତୁ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆୟରଙ୍କୁ ସୁଯୋଗ ଦିଆଯାଇଥିଲା । ଆଉ ଏହାକୁ ସଠିକ୍ ପ୍ରମାଣିତ କରିଥିଲେ ଆୟର । ତେବେ ଆୟରଙ୍କ ଏହି କ୍ରିକେଟ ପ୍ରେମ ଗାଙ୍ଗୁଲିଙ୍କୁ ଦେଖି ଆରମ୍ଭ ହୋଇଥିଲା । ଏପରିକି ଗାଙ୍ଗୁଲି ଏକ ମ୍ୟାଚରେ କମ ସ୍କୋର ଆଉଟ ହେବା ଫଳରେ ଭାରତ ହାରି ଯାଇଥିଲା । ଆଉ ଏହାର ପ୍ରଭାବ ଭେଙ୍କଟେଶଙ୍କ ପାଖରେ ଦେଖିବାକୁ ମିଳିଥିଲା । ଭାରତ ହାରିବା କାରଣରୁ ଆୟରଙ୍କୁ ଜ୍ୱର ହୋଇଥିଲା । ଯାହା ଦର୍ଶାଉଥିଲା କ୍ରିକେଟକୁ ପିଲାବେଳୁ କେତେ ଭଲ ପାଉଥିଲେ ଭେଙ୍କଟେଶ ।

ଭେଙ୍କଟେଶଙ୍କୁ ଭାରତୀୟ ଟିମରୁ ଡାକରା ଆସିବା ପରେ ତାଙ୍କ ବାପା କହିଛନ୍ତି, ଏହା ଆମ ପାଇଁ ସବୁଠୁ ବଡ ଖୁସିର ମୁହୂର୍ତ୍ତ । ମାତ୍ର ୬ରୁ ୭ ବର୍ଷ ବୟସରୁ ହିଁ ଭେଙ୍କଟେଶ କ୍ରିକେଟକୁ ଭଲ ପାଇବସିଥିଲେ । ଆଉ ପିଲାବେଳୁ ଗାଙ୍ଗୁଲିଙ୍କୁ ଅନୁକରଣ କରୁଥିଲେ ଭେଙ୍କଟେଶ । ଯେଉଁଥିପାଇଁ ଗାଙ୍ଗୁଲିଙ୍କ ଭଳି ଭେଙ୍କଟେଶ ମଧ୍ୟ ବାମହାତୀ ବ୍ୟାଟିଂ କରିବା ଆରମ୍ଭ କରିଥିଲେ । ତେବେ ପିଲାବେଳର ଏକ ସ୍ମୃତି ମନେପକାଇ ଭେଙ୍କଟେଶଙ୍କ ବାପା କହିଛନ୍ତି ଯେ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଚାଲିଥାଏ । ଭେଙ୍କଟେଶ ଏହାକୁ ଟିଭିରେ ଦେଖୁଥାନ୍ତି । ଯେଉଁ ମ୍ୟାଚରେ ଭାରତ ପରାଜିତ ହୋଇଥିଲା ଏବଂ ଗାଙ୍ଗୁଲି କମ ସ୍କୋରରେ ଆଉଟ ହୋଇଥିଲେ । ଆଉ ଏହି ମ୍ୟାଚରେ ଭାରତର ପରାଜୟ ଭେଙ୍କଟେଶଙ୍କୁ ବେଶ ମର୍ମାହାତ କରିଥିଲା । ଏପରିକି ତାଙ୍କୁ କିଛି ସମୟ ମଧ୍ୟରେ ଜ୍ୱର ଆସି ଯାଇଥିଲା । ସେତେବେଳେ କ୍ରିକେଟ ପ୍ରତି ଭେଙ୍କଟେଶଙ୍କର କେତେ ଭଲ ପାଇବା ରହିଛି ତାହା ଆମେ ଜାଣି ପାରିଥିଲୁ । ଆଉ ଏହାପରେ ଭେଙ୍କଟେଶଙ୍କୁ କୋଚିଂ ପାଇଁ ଏକ ଭଲ କ୍ଲବକୁ ପଠାଇଥିଲୁ । ଆଉ ଏହିଠାରୁ ଭେଙ୍କଟେଶଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା ।

କ୍ରିକେଟ ପ୍ରତି ଥିବା ଭଲପାଇବା ଭେଙ୍କଟେଶଙ୍କ ପାଠପଢାରେ କେବେ ବାଧା ଦେଇନଥିଲା । କ୍ରିକେଟ ପାଇଁ ଅଧିକ ସମୟ ଆବଶ୍ୟକ ପଡୁଥିବା ସତ୍ତେ୍ୱ ମଧ୍ୟ ଭେଙ୍କଟେଶ ପାଠ ପଢା ବନ୍ଦ କରିନଥିଲେ । ବାଣିଜ୍ୟରେ ସ୍ନାତକ କରିବା ପରେ ଚାଟାର୍ଟ ଆକାଉଣ୍ଟାଣ୍ଟ ହେବାକୁ ଚାହୁଁଥିଲେ ଭେଙ୍କଟେଶ । କିନ୍ତୁ ଏଥିପାଇଁ ଅଧିକ ସମୟ ଆବଶ୍ୟକ ପଡୁଥିବାରୁ କ୍ରିକେଟ ଖେଳକୁ ବାଛିଥିଲେ ଭେଙ୍କଟେଶ । କ୍ରିକେଟ ଖେଳିବା ସହ ମା’ଙ୍କ କହିବା ଅନୁସାରେ ଏମବିଏରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ଆୟର । ଭାରତୀୟ କ୍ରିକେଟ ଟିମରୁ ଭେଙ୍କଟେଶଙ୍କୁ ଡାକରା ଆସିବା ପରେ ଏବେ ହୋମଟାଉନ ଇନ୍ଦୋରରେ ଖୁସିର ମାହୋଲ ଖେଳିଯାଇଛି ।