କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଆଗକୁ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦଳ ତାଙ୍କ ଉପରେ ଅନେକ ଭରସା ରଖିଛି । ତେବେ ହାର୍ଦ୍ଦିକଙ୍କ ପାଇଁ ଅନ୍ୟ ଜଣେ ଖେଳାଳି ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ୨୦୨୧ ଟି-୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦୀର୍ଘଦିନ ଧରି ଦଳକୁ ଫେରି ନଥିଲେ । ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ଭେଙ୍କେଟଶ ଆୟର ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି ସେତେବେଳେ ଆଉ ଭେଙ୍କେଟଶ ଆୟାରଙ୍କୂ ଦଳରେ ସ୍ଥାନ ମିଳିନାହିଁ ।

Advertisment

ନିକଟରେ ଭେଙ୍କେଟଶ ଆୟର ଏକ ସାକ୍ଷାତକାରରେ ନିଜ ମନର କଥା କହିଛନ୍ତି । ସେ କହିଛନ୍ତି କି, ମୋତେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇବାକୁ ହେଲେ ହାର୍ଦ୍ଦିକଙ୍କ ଭଳି ହେବାକୁ ପଡ଼ିବ । ଏବଂ ତାଙ୍କ ଭଳି ପ୍ରଦର୍ଶନ କରିବାକୁ ପଡ଼ିବ । କିନ୍ତୁ ମୁଁ ଏବେ ତାଙ୍କ ସମକକ୍ଷ ହୋଇନାହିଁ । ମୁଁ ତାଙ୍କ ଭଳି ହେବାକୁ କଠିନ ପରିଶ୍ରମ କରୁଛି । ଏଯାବତ ମୁଁ ତାଙ୍କ ନିକଟତର ମଧ୍ୟ ହୋଇପାରିନାହିଁ ।

ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଭେଙ୍କେଟଶ ଆୟର ଭଲ ପ୍ରଦର୍ଶନ କରିବା ସହ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି । ଚଳିତ ସିଜିନରେ ସେ ମଧ୍ୟ ଏକ ଶତକ ହାସଲ କରି ଦର୍ଶକଙ୍କ ମନମୋହିଛନ୍ତି । ଚଳିତ ଆଇପିଏଲ ସିଜିନରେ ଭେଙ୍କେଟସ ଆୟାର ୧୪ଟି ପାଳିରୁ ୪୦୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି କେକେଆରର ସେ ମଧ୍ୟ ଜଣେ ନିର୍ଭରଯୋଗ୍ୟ ଖେଳାଳି ।