ଭାରତକୁ ୩୦% ଶସ୍ତାରେ ତେଲ ଦେବାକୁ ଅଫର ଦେଲା ଦେବାଳିଆ ଦେଶ ଭେନଜୁଏଲା ! କିନ୍ତୁ ଏଥିପାଇଁ ରଖିଛି ଗୋଟିଏ ସର୍ତ୍ତ, ଜାଣନ୍ତୁ ଶସ୍ତା ତେଲ ପାଇଁ ଭେନଜୁଏଲାର ସର୍ତ୍ତ କଣ ?

43

ଭାରତକୁ ଆକର୍ଷଣୀୟ ଅଫର ଦେଲା ଦେବାଳିଆ ଭେନଜୁଏଲା । ଭାରତକୁ ୩୦ ପ୍ରତିଶତ ଶସ୍ତା ଦରରେ ତେଲ ଦେବାକୁ ଦମଦାର ଅଫର ଦେଇଛି ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲା । ଭାରତରେ ଏବେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଭେନଜୁଏଲା ଏଭଳି ପ୍ରସ୍ତାବ ଦେଇଛି । କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରଖିଛି ଯାହାକୁ ପୂରଣ କରିବା ଭାରତ ପାଇଁ ଏତେ ସହଜ ନୁହେଁ ।

ଭେନଜୁଏଲାର କହିବା ଅନୁଯାୟୀ, ୩୦ ପ୍ରତିଶତ ଶସ୍ତା ଦରରେ ଭାରତକୁ ତେଲ ଦେବାକୁ ଭେନଜୁଏଲା ପ୍ରସ୍ତୁତ ଅଛି । କିନ୍ତୁ ଏହାର ପେମେଣ୍ଟ କେବଳ କ୍ରିପ୍ଟୋ କରେନ୍ସିରେ ନେବାକୁ ସର୍ତ୍ତ ରଖିଛି ଭେନଜୁଏଲା । ଅର୍ନ୍ତଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି । ଏଭଳି ସ୍ଥଳରେ ଭେନଜୁଏଲାର ପ୍ରସ୍ତାବ ବେଶ ଆକର୍ଷଣୀୟ । କିନ୍ତୁ ଭେନଜୁଏଲା ଏଭଳି ସମୟରେ ଏହି ଅଫର ଦେଇଛି ଯେତେବେଳେ ଭାରତ କ୍ରିପ୍ଟୋ କରେନ୍ସିକୁ ଅବୈଧ ଘୋଷଣା କରିଛି । ତେଣୁ ଏହି କରେନ୍ସି ଦେଇ ଭେନଜୁଏଲା ଠାରୁ ଶସ୍ତାରେ ତେଲ କିଣିବା ଭାରତ ପାଇଁ ଏତେ ସହଜ ହେବନି ।

ଖବର ଅନୁଯାୟୀ, ଭେନଜୁଏଲାର ଡିଜିଟାଲ ପେଟ୍ରୋ କରେନ୍ସି ବିଶ୍ୱର ପ୍ରଥମ ସରକାରଙ୍କ ସମର୍ଥିତ କରେନ୍ସି । ଭାରତରେ କ୍ରିପ୍ଟୋ କରେନ୍ସି ବିକ୍ରି ଆରମ୍ଭ କରିବା ପାଇଁ କଏନସ୍ୱିକ୍ୟୁୟର କମ୍ପାନି ସହ ଚୁକ୍ତି କରିଛି । ଡିଜିଟାଲ ପେଟ୍ରୋ କରେନ୍ସିକୁ ଭେନଜୁଏଲା ସରକାର ପୂର୍ବବର୍ଷ ଲଞ୍ଚ କରିଥିଲେ । ତେବେ ଏହି ବର୍ଷ ମେ ୨୦ରେ ରାଷ୍ଟ୍ରପତି ନିର୍ବାଚନ ପରେ ଏହାକୁ ଔପଚାରିକ ରୂପେ ମାନ୍ୟତା ମିଳିବ । ବାସ୍ତବରେ ଭେନଜୁଏଲା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ଏବେ ଭେନଜୁଏଲା ଡିଜିଟାଲ କରେନ୍ସି ଉପରେ ଗୁରୁତ୍ୱରୋପ କରୁଛି ।

ସବୁଠୁ ବଡ଼ କଥା ହେଲା ଭେନଜୁଏଲା ଭାରତକୁ ଏଭଳି ଅଫର ଦେବା ପଛରେ ଏକ ବଡ଼ କାରଣ ଲୁଚି ରହିଛି । ଏହାଦ୍ୱାରା ଭେନଜୁଏଲାର ଆର୍ଥିକ ସ୍ଥିତିରେ କିଛି ମାତ୍ରାରେ ଉନ୍ନତି ଆସିବ । ଏହାସହ ଭେନଜୁଏଲାରେ ୩୦୦ ଆରବ ବ୍ୟାରେଲର ଦୁନିଆର ସବୁଠାରୁ ବଡ଼ ତେଲଭଣ୍ଡାର ରହିଛି । କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଭେନଜୁଏଲା ଠାରୁ କମ ପରିମାଣର ତେଲ କିଣୁଛି । ଯାହାର ପ୍ରଭାବ ମଧ୍ୟ ଭେନଜୁଏଲାର ଆର୍ଥିକ ସ୍ଥିତି ଉପରେ ପଡ଼ିଛି ।