ଦୁର୍ଗନ୍ଧମୟ ପରିବେଶରେ ନର୍ଦ୍ଦମାରେ ଚାଲିଛି ମାର୍କେଟ । ଶିଳାନ୍ୟାସ ହୋଇଥିଲେ ବି ଆରମ୍ଭ ହେଉନି ଭେଣ୍ଡିଂ ଜୋନ୍ ନିର୍ମାଣ କାମ ।

81

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ନାରା ଦେଇ ରାଜନୈତିକ ଦଳ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ଯେଉଁଠି ପରିସ୍କାର ପରିଚ୍ଛନତାର ଆବଶ୍ୟକତା ରହିଛି ସେଠାରେ ଅବହେଳା ପ୍ରଦର୍ଶନ କରୁଛି ପ୍ରଶାସନ । ଯାଜପୁର ବ୍ୟାସନଗର ପୌରାଞ୍ଚଳରେ ନାହିଁ ଭେଣ୍ଡିଂ ଜୋନ । ଅସ୍ୱାସ୍ଥ୍ୟକର ପରିବେଶରେ ଛକ ଓ ରାସ୍ତା କଡରେ ବସି ଆମିଷ ଓ ପରିବା ବିକ୍ରି କରୁଛନ୍ତି ବ୍ୟବସାୟୀ । ଦୁର୍ଗନ୍ଧମୟ ପରିବେଶରେ ନର୍ଦ୍ଦମାରେ ଚାଲିଛି ମାର୍କେଟ । ପୌରସଂସ୍ଥା ଦ୍ୱାରା ପ୍ରତି ମାଛ ବ୍ୟବସାୟୀଙ୍କ ଠାରୁ ମହାସୁଲ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇାପାରୁନି ଭେଣ୍ଡିଂ ଜୋନ ।

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ନହକା ବାଇପାସ୍ ଛକରେ ଥିବା ମାଛ ମାର୍କେଟ । ଅସ୍ୱାସ୍ଥ୍ୟକର ପରିବେଶରେ ବସି ମାଛ ମାଂସ ବିକ୍ରି କରୁଛନ୍ତି ବ୍ୟବସାୟୀ । ଏଥିପାଇଁ ବ୍ୟୟସାୟୀମାନେ ପୌର ପ୍ରଶାସନକୁ ୩୦ଟଙ୍କା ଲେଖାଏଁ ମହାସୁଲ ଦେଉଛନ୍ତି । ହେଲେ ପୌର ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ବସିବା ପାଇଁ କୌଣସି ସୁବିଧା କରାଯାଉନାହିଁ । ଫଳରେ ବାଧ୍ୟହୋଇ ଅଳିଆ, ଆବର୍ଜନାପୂର୍ଣ୍ଣ ସ୍ଥାନରେ ବସି ବେପାର କରୁଛନ୍ତି ।

ବ୍ୟାସନଗରର ଲକ୍ଷ୍ମୀ ମାର୍କେଟ ଓ ଗୋଶଳା ଛକରେ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ବେପାର । ଟ୍ରାଫିକ ଜାମ ସାଙ୍ଗକୁ ବିପଦ ମୁଁହରେ ଦୋକାନୀ ଓ ଗ୍ରାହକ । ୨୦୧୯ ଅଗଷ୍ଟ ୩୧ରେ ଏହି ସ୍ଥାନକୁ ଭେଣ୍ଡିଂଜୋନ କରିବାକୁ ସ୍ଥିର କରି କୋରାଇ ବିଧାୟକ ଅଶୋକ ବଳ ଏହାର ଶିଳାନ୍ୟାସ କରିଥିଲେ । କିନ୍ତୁ ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଇପାସ୍ ଛକରେ ବସିଥିବା ମାଛ ମାର୍କେଟ ରେଲୱେ ଜାଗାରେ ଅଛି । କିନ୍ତୁ ପୌର ପ୍ରଶାସନ ମହାସୁଲ ଆଦାୟ କରୁଛି । ସ୍ୱଚ୍ଛ ପରିବେଶ ମଧ୍ୟରେ ବେପାରବଟା କରିବା ପାଇଁ ସରକାରଙ୍କ ପକ୍ଷରୁ ଭେଣ୍ଡିଂଜୋନ କରାଯାଉଥିବା ବେଳେ ବ୍ୟାସନଗରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଖୁବ୍ ଶୀଘ୍ର ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୂୁତି ମିଳୁଥିବା ବେଳେ କେବେ ଭେଣ୍ଡିଂ ଜୋନ ନିର୍ମାଣ ହେବ, କେବେ ବେପାରୀମାନେ ଅନ୍ୟତ୍ର ସ୍ଥାନାନ୍ତର ହେବେ ତାକୁ ହିଁ ଅପେକ୍ଷା ।