କନକ ବ୍ୟୁରୋ: ନୂଆ ବର୍ଷ ପହିଲାରୁ ପଂଜିକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭିଏଲଟିଡି ଅର୍ଥାତ୍ ଭେହିକିଲ ଲୋକେସନ୍ ଟ୍ରାକିଂ ଡିଭାଇସ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଡିସେମ୍ବର ୩୧ ବା ତା ପୂର୍ବରୁ ହୋଇଥିବା ପଂଜିକୃତ ଗାଡ଼ିରେ ଆସନ୍ତାବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସୁବିଧା ଫଳରେ ଗାଡ଼ି ଷ୍ଟାର୍ଟ ହେବାଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କୁଆଡ଼େ ଯାଉଛି, କେଉଁଠି ରହିଲା, ସେ ସମ୍ପର୍କରେ ଜାଣିହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଭିଏଲଟିଡି ନିରୀକ୍ଷଣ ଓ ନିୟନ୍ତ୍ରଣ କେନ୍ଦ୍ର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଏଲଟିଡିକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ । ଚାଳକ କିମ୍ବା ଅନ୍ୟ କେହି ଚାହିଲେ ବି ତଥ୍ୟକୁ ଲୁଚାଇପାରିବେ ନାହିଁ । ଭିଏଲ୍ଟିଡି ଯାନର ସମସ୍ତ ତଥ୍ୟ ରେକର୍ଡ କରି କଂଟ୍ରୋଲ୍ ରୁମ୍କୁ ପଠାଇବ । ଏମିତିକି ମୋବାଇଲ ନେଟ୍ୱାର୍କ ନ ଥିବା ଅଂଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ । ନେଟୱର୍କ ଅଂଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ସେ ତଥ୍ୟ ପ୍ରେରଣ କରିବ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବିଏସ୍ଏନ୍ଏଲ୍ ସହ ଚୁକ୍ତି ହୋଇଛି । ସେହିପରି କୌଣସି ବିପଦର ଆଶଙ୍କା ଥିଲେ ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଂଟ୍ରୋଲ ସେଂଟରକୁ ଆସିବ । ଏହାସହ ଗାଡ଼ି ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରରେ ବି ଖବର ପହଂଚିଯିବ । ଫଳରେ ଯାତ୍ରୀଙ୍କୁ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଡିଭାଇସ୍ ପ୍ରଦାନ ପାଇଁ ରାଜ୍ୟର ୧୧ଟି ସଂସ୍ଥାକୁ ଅନୁମତି ମିଳିଛି ।