ଗାଡି ଚାଳକଙ୍କୁ ଶେଷ ସୁଯୋଗ: ନିୟମ ଭାଙ୍ଗିଲେ ନାହିଁ ନିସ୍ତାର । କେବଳ କାଗଜ ପାଇଁ କୋହଳ, ଆଉ ସବୁ ପାଇଁ କାଳ

1,420

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ଆରଟିଓ ଯାଞ୍ଚ । କଡାକଡି ଯାଞ୍ଚକୁ ଆଉ ତିନି ମାସ କୋହଳ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢାଯାଇଥିବା ନେଇ ବିଧାନସଭାରେ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଆଉ ତିନି ମାସ କେବଳ କାଗଜପତ୍ର ପାଇଁ କୋହଳ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

ଗାଡି କାଗଜ ପତ୍ର ଛଡା ଅନ୍ୟ ସମସ୍ତ ନିୟମକୁ କଡାକଡି ଭାବେ ପୂର୍ବଭଳି ଯାଞ୍ଚ କରାଯିବ । ଅର୍ଥାତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜ ପତ୍ର ଛଡା ଅନ୍ୟ ସବୁ ନିୟମକୁ ତୀକ୍ଷ୍ଣ ନଜର ଦିଆଯିବ । ତେବେ ମଦ ପିଇ ଗାଡି ଚଳାଇବା, ବିନା ହେଲମେଟର ଯାଞ୍ଚ ଜାରି ରହିବ ।

ସେହିଭଳି ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ ବେଲ୍ଟ ନବାନ୍ଧି ଡ୍ରାଇଭିଂ କରିବା, ରଙ୍ଗ ରୁଟରେ ହଠାତ ପଶିଯିବା, ମୋବାଇଲରେ ଗପି ଗପି ଗାଡି ଚଳାଇବା ଓ ଟ୍ରିପଲ ରାଇଡ କରିବା ଉପରେ ଫୋକସ ରହିବ । ଆଉ ଯଦି ଏଭଳି କରୁଥିବାର କେହି ଧରାପଡନ୍ତି କିମ୍ବା ଏସବୁ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ତେବେ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂଆ ମୋଟର ଯାନ ନିୟମ କଡାକଡି ଭାବେ ଲାଗୁ ହେବା ପରେ ହନ୍ତସନ୍ତ ହୋଇଥିଲେ ଲୋକେ । ଯେଉଁମାନେ ଗାଡି କାଗଜ ପତ୍ର କରିନଥିଲେ ସେମାନେ ରାସ୍ତାରେ ଗାଡି ଚଳାଇବାକୁ ଡରୁଥିଲେ । ଜରିମାନ ଭୟ ଥିବାରୁ ଲୋକେ ଘରୁ ଗାଡି କାଢିବାକୁ ସାହସ କରୁନଥିଲେ । ତେବେ ଲୋକଙ୍କ ଟ୍ରାଫିକ ଟେନସନ ଦେଖି ରାଜ୍ୟ ସରକାର ୩ ପାଇଁ ନିୟମ କୋହଳ କରିଥିଲେ । ଆଉ ଡିସେମ୍ବର ୧ରେ କୋହଳ ନିୟମର କଣ୍ଟ ପୂରୁଥିଲା ।

ମାତ୍ର ୩ ମାସ ମଧ୍ୟରେ ବି ଅନେକ ଲୋକ କାଗଜପତ୍ର କରି ପାରି ନଥିବାରୁ ଆରଟିଓ ଅଫିସରେ ଭିଡ ଲଗାଉଥିଲେ । ହଜାର ହଜାର ଲୋକ ରାତି ଅନିଦ୍ରା ହୋଇ ମଧ୍ୟ ଲାଇନ ଲଗାଉଥିଲେ । ଆରଟିଓ ଅଫିସରେ ଇଣ୍ଟରନେଟ ସମସ୍ୟା ଓ ଧିରା କାମ ପାଇଁ ଲୋକେ ଅସନ୍ତୋଷ ବି ଜାହିର କରୁଥିଲେ । ତେବେ ବିଧାନସଭାରେ ଲୋକଙ୍କ ସମସ୍ୟା ଉଠିବା ପରେ ଆଜି ଆଉ ୩ ମାସ କୋହଳ ପାଇଁ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।