କନକ ବ୍ୟୁରୋ: ରୋଷେଇ ଘରେ ପଡ଼ିଛି ଚଡ଼କ । ରାଜ୍ୟରେ ଲଗାମ ଛଡ଼ା ହେଉଛି ପରିବା ଦର । ଏପରି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକ ପରେ ଆଳୁ ପିଆଜ ମୂଲ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ କଂଚା ପରିବା ଓ ଟମାଟୋ ଭଳି ସାମଗ୍ରୀ ଉପରେ ନିୟନ୍ତ୍ରଣ ନାହିଁ । ଉତ୍ପାଦନ ଉପରେ ଏହା ନିର୍ଭର କରୁଥିବା କହିଛନ୍ତି ମନ୍ତ୍ରୀ ।

Advertisment

ପରିବା ଦରର ପ୍ରଭାବ, ସାଧାରଣ ପରିବାର ଉପରେ କିଭଳି ପକାଏ ଆପଣ ଏହି ପରିବାରର କାହାଣୀ ଶୁଣିଲେ ଜାଣିପାରିବେ । ୭-୮ ଜଣିଆ ସଦସ୍ୟଙ୍କୁ ନେଇ ରାଉତ ପରିବାର । ଭୁବନେଶ୍ୱର ରସୁଲଗଡ଼ ଅଂଚଳରେ ରହୁଥିବା ରାଉତ ପରିବାର ରୋଷଇ ଘରେ କିଲେ-ଦେଢ଼ କିଲୋ ବଦଳରେ ଏବେ ଅଢ଼େଇଶହ କିମ୍ବା ଅଧ କିଲୋ ଟମାଟୋ ଆସୁଛି । ଆଉ ରୋଷଇରେ ଗୋଟିଏ ବି ଟମାଟୋ ପଡ଼ୁନି । ପଡ଼ୁଛି ଫାଳେ ।

ଏବେ ପରିବା ଦର ଆକାଶ ଛୁଆଁ । ୮୦ରୁ ଶହେ ଟଙ୍କା ପହଂଚିଗଲାଣି ବିଲାତି ବାଇଗଣ । ଅନ୍ୟାନ୍ୟ ପରିବା ଦର ବି ହୁ-ହୁ ହୋଇବଢ଼ୁଛି । ଏଭଳି ସ୍ଥିତିରେ ଅଳ୍ପ-ବହୁତେ କାମ ଚଳେଇ ଦେଉଛନ୍ତି ସାଧାରଣ ଘରର ଲୋକେ ।
ଏପଟେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରବୃଦ୍ଧି ନେଇ ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ମନ୍ତ୍ରୀଙ୍କ କହିବା କଥା ହେଲା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଆମର ନିୟନ୍ତ୍ରଣ ରହିଛି । କିନ୍ତୁ ଟମାଟୋ ଭଳି ସାମଗ୍ରୀ ଉପରେ ଆମର ନିୟନ୍ତ୍ରଣ ନାହିଁ । ଉତ୍ପାଦନ ଉପରେ ଏହା ନିର୍ଭର କରୁଥିବାରୁ ଉତ୍ପାଦନ କମ ହେଲେ ଦାମ ବଢ଼େ ବୋଲି କହିଛନ୍ତି ଯୋଗଣ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ପରେ ଲୋକଙ୍କ ଅପେକ୍ଷା କେବେ କମିବ ଦର ଏବଂ ଶସ୍ତାରେ ମିଳିବ ସାମଗ୍ରୀ ।