କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କେଡ଼େ ଖୁସି ତାହାର । ଆଉ ଚାଷ କାମକୁ ଆପଣାଇ ବେଶ ଖୁସିରେ ଅଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଚାଷୀ ଗଗନ କାପ । ବୟସ ୬୫ ବର୍ଷ ହେଲାଣି ତଥାପି ସେ ଥକି ନାହାନ୍ତି । ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ପୁଅ,ଝିଅ ବାହାଘର । ଘର ତୋଳିବା, ଭଉଣୀ ମାନଙ୍କୁ ବାହାକରିବା ଭଳି ସମସ୍ତ କାମ ସେ ତୁଲାଇଛନ୍ତି । ଚାକିରି ପଛରେ ପଡ଼ି ସମୟ ନଷ୍ଟ କରୁଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଗନ । ଚାଷକୁ କୌଳିକ ବୃତି ଭାବେ ଗ୍ରହଣ କରି ଗର୍ବର ସହ ସେ କୁହନ୍ତି ଚାଷ କାମ କଲେ ଅର୍ଥିକ ସମସ୍ୟା ରହିବ ନାହିଁ । ପରିବା ଚାଷରୁ ବାର୍ଷିକ ୨ଲକ୍ଷ ଟଙ୍କା ରୋଜଗାର ହେଉଥିବା ସେ କୁହନ୍ତି ।

Advertisment

ଆଜିର ମହଙ୍ଗା ଯୁଗରେ ଗଗନଙ୍କ ବାଡ଼ିରେ ଲହଡ଼ି ଭାଙ୍ଗୁଛି ପରିବା । ପୋଟଳ, କଲରା ଭଳି ତାଜା ପରିବା ତାଙ୍କ ବାଡ଼ିରେ ଝୁଲି ରହିଥିବା ବେଳେ ଏସବୁ ପରିବା ଦେଖିଲେ ପେଟ ପୁରିଯାଏ ବୋଲି ସେ କୁହନ୍ତି । ସାପ୍ତାହିକ ହାଟକୁ କୁଇଂଟାଲ କୁଇଂଟାଲ ପରିବା ଯୋଗାଇ ଦେଉଥିବା ବେଳେ ପ୍ରତ୍ୟେକ ହାଟ ପାଳିରେ ୨ରୁ ୩ ହଜାର ଟଙ୍କା ରୋଜଗାର ହୁଏ ବୋଲି ସେ କୁହନ୍ତି । ପରିବାର ଉଚିତ୍ ମୂଲ୍ୟ ପାଇଲେ ସେ ତାଙ୍କର ସବୁ କଷ୍ଟ ଭୁଲି ଯାଆନ୍ତି ବୋଲି କୁହନ୍ତି । ଖାଲି ଏତିକି ନୁହେଁ ଜଣେ ସଫଳ ଚାଷୀ ଭାବେ କେନ୍ଦ୍ର ସରକାରଙ୍କ ଠାରୁ ସେ ଶ୍ରେଷ୍ଠ ଚାଷୀର ସମ୍ମାନ ପାଇଛନ୍ତି ।

ଏହି କାମରେ ତାଙ୍କ ପୁଅ ତାଙ୍କୁ ସହଯୋଗ କରୁଛନ୍ତି । ପନିପରିବା ଚାଷ ସହ ମାଛ ଯାଆଁଳ ଚାଷ କରି ବିକ୍ରି କରୁଛନ୍ତି । ଚାନ୍ଦି ଜାଆଁଳ ବାଂଲାଦେଶରୁ ଆଣୁଥିବା ବେଳେ ସିଫାରୁ ଅନ୍ୟ ଯାଆଁଳ ଆଣି ପୋଖରିରେ ଚାଷ କରୁଛନ୍ତି । ଆଉ ଏହାର ଚାହିଦା ମଧ୍ୟ ଢ଼େର ଅଧିକ ରହିଛି । ମାଛରୁ ୨ରୁ ୩ଲକ୍ଷ ଟଙ୍କା ଲାଭ ମିଳୁଥିବା ସେ କୁହନ୍ତି । ଗଗନଙ୍କ ଚାଷ କରିବା ପ୍ରଣାଳିରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟ ଲୋକମାନେ ସେମାନଙ୍କ ବାଡ଼ିରେ ମଧ୍ୟ ପରିବା ଚାଷ ଆରମ୍ଭ କରିଛନ୍ତି । ତାଙ୍କୁ ଢ଼େରସାରା ପ୍ରଶଂସା ମଧ୍ୟ କରିଛନ୍ତି ।

ସବୁଜ ପନିପରିବା ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ । ହେଲେ ଚାଷ ଖୁବ୍ କମ୍ ଲୋକ କରିଥାଆନ୍ତି । ବର୍ତମାନ ଲୋକଙ୍କ ବାଡ଼ିରେ ପରିବା ଗଛଟିଏ ନଥିବା ବେଳେ ଗଗନଙ୍କ ବାଡ଼ିରେ ପରିବାର ହାଟ ବସିଛି ।