ବାତ୍ୟା ପରେ ଅଭାବ ଓ ମହଙ୍ଗା ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ : ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ ବି ଅଭାବ । ଚିନ୍ତାରେ ସୁଆର, ରାନ୍ଧିବେ କ’ଣ

183

କନକ ବ୍ୟୁରୋ : ବାତ୍ୟା ପରେ ଏବେ ଲୋକଙ୍କ ଉପରେ ମହଙ୍ଗା ମାଡ଼। ଡାଲି ଚାଉଳ ଓ ପନିପରିବା ପର୍ଯ୍ୟାପ୍ତ ମିଳୁନି। ଏପରିକି ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ ବି ଡାଲି ଚାଉଳ ଅଭାବ ଦେଖାଦେଇଛି। ସୁଆରଙ୍କୁ ମହାପ୍ରସାଦ ରାନ୍ଧିବାକୁ ମିଳୁନି। ତେଣେ ବଜାରରେ ପରିବା ଦର ଅମୂଲ ମୂଲ। ବାତ୍ୟା ମାଡ଼ରେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଅଭାବ କାରଣରୁ ପରିବା ତ ଆସୁନି, ଯାହା ବି ଆସୁଛି ଅଧିକ ଦର ଗ୍ରାହକଙ୍କୁ ଭୀଷଣ ବାଧୁଛି। ଅବଢ଼ା ୩ଟା ବାଇହାଣ୍ଡି ରାନ୍ଧିବା ପାଇଁ ୧୦ କିଲୋ ଚାଉଳ, ୫ କିଲୋ ଡାଲି ଦରକାର। ଟଙ୍କା ବଢ଼ାଇ ମହାଲକ୍ଷ୍ମୀ ଭଣ୍ଡାରରେ ଅପେକ୍ଷା କରିଥିଲେ ଜଣେ ବରିଷ୍ଠ ସୁଆର ସେବକ। ହେଲେ ଉତ୍ତର ଆସିଲା, ଡାଲି ଚାଉଳ ଅଭାବ ଅଛି। ୨ କିଲୋ ଚାଉଳ ଓ କିଲେ ଡାଲି ନିଅ, ସେତିକିରେ କାମ ଚଳାଅ। ତେବେ ଏତିକିରେ କି ପ୍ରସାଦ ରାନ୍ଧିବେ, ଘରକୁ କ’ଣ ନେବେ ଆଉ ଭକ୍ତଙ୍କୁ ବିକିବେ କଣ? ତେଣୁ ଫେରିଗଲେ ସୁଆର ଜଣକ।

ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାରରେ କେବେ ମଧ୍ୟ ଡାଲି ଚାଉଳ ଅଭାବ ହୁଏନି। ହେଲେ ବିଧ୍ୱଂସକାରୀ ବାତ୍ୟା ‘ଫୋନି’ ପ୍ରହାରରେ ସବୁ କିଛି ପ୍ରଭାବିତ। ଯେଉଁଥିପାଇଁ ଡାଲି ଚାଉଳ ଅଭାବ ଦର୍ଶାଉଛନ୍ତି ବୋଲି କହିଛନ୍ତି ବୟସ୍କ ସୁଆର ସେବକ ଭୁବନେଶ୍ୱର ସୁଆର। ଦକ୍ଷିଣ ଦ୍ୱାର ଦୋକାନରେ ମଧ୍ୟ ଅଭାବ ଦେଖାଇ ମନା କରିଦେଲେ। ତେଣୁ ଅବଢ଼ା ପ୍ରସ୍ତୁତି ତାଙ୍କର ବନ୍ଦ ହେଲା। ଭୁବନେଶ୍ବରଙ୍କ ପ୍ରଶ୍ନ ଥିଲା, ଅବଢ଼ା ପାଇଁ ଡାଲି ଚାଉଳର ଅଭାବ ଅଛି ନା ଏହା କୃତ୍ରିମ ଅଭାବ? ବଜାରରେ ଅଭାବ ଦର୍ଶାଇ ମୂଲ୍ୟ ବୃଦ୍ଧି ବି ହେଲାଣି। ଏହାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏମିତି ହେଲେ ଅବଢ଼ା ବାହାରିବ କେମିତି ଏବଂ ଅବଢ଼ା ମୂଲ୍ୟ ଉପରେ ନିୟନ୍ତ୍ରଣ ରହିବ କେମିତି? ଖାଲି ସେତିକି ନୁହେଁ, ପରିବା ବଜାରରେ ଘୋର ସଂକଟ ଦେଖାଦେଇଛି। ବଜାରକୁ ପରିବା ଆସୁନଥିବା ବେଳେ ଆଳୁର ଅଭାବ ବି ଉତ୍କଟ ସ୍ଥିତି ସୃଷ୍ଟି କରିଛି।

ଆଳୁ କିଲୋ ୨୦ ଓ ବେଳେବେଳେ ୨୫ ହୋଇଯାଉଛି। ଏବେ କୌଣସି ପରିବା ମୂଲ୍ୟ ୫୦ ତଳକୁ ନାହିଁ। ଟମାଟୋ ହେଉ କି ବରଗୁଡ଼ି, କଲରା ହେଉ କି ଝୁଡ଼ଙ୍ଗ ସବୁରି ମୂଲ୍ୟ ୫୦ ଉପରେ। ବାହାନା ହେଉଛି, ବାତ୍ୟା ପରେ ଆସୁନି ପରିବା। ତେଣୁ ଯାହା ଆସୁଛି ତାର ଦାମ୍ ଅଧିକ ରହିବ। ବାତ୍ୟା କଷ୍ଟରୁ ଲୋକେ ମୁକୁଳି ନଥିବା ବେଳେ ଏବେ ଅଭାବ ଓ ମହଙ୍ଗା ମାଡ଼ରେ ଜନଜୀବନ କଲବଲ ହୋଇଗଲାଣି।