ଦୁବାଇ ଯିବ ଧୋନିଙ୍କ ପରିବା । ଦୁବାଇବାସୀ ଖାଇବେ ମାହିଙ୍କ ଫାର୍ମହାଉସ ପନିପରିବା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷ କରୁଛନ୍ତି ଧୋନି ।

403

କନକ ବ୍ୟୁରୋ: ଦୁବାଇ ଯିବ ଧୋନିଙ୍କ କ୍ଷେତର ପନିପରିବା । ଖୁବ ଶୀଘ୍ର ଆରବ ଦେଶରେ ମିଳିବ ଧୋନିଙ୍କ କ୍ଷେତ ପରିବା । ବିଦେଶ ଯିବ ଦେଶୀ ପରିବା । ତାହା ବି ପୁଣି ଧୋନିଙ୍କ କ୍ଷେତରୁ ଅମଳ ହେଉଥିବା ପନିପରିବା । ଖୁବଶୀଘ୍ର ଦୁବାଇ ବଜାରରେ ଦେଖିବାକୁ ମିଳିବ ଚାମ୍ପିୟନ ଖେଳାଳିଙ୍କ ଚାଷ କ୍ଷେତର ପରିବା । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଫାର୍ମ ହାଉସରେ ଉତ୍ପାଦନ ହୋଇଥିବା ପନିପରିବାକୁ ଦୁବାଇ ପଠାଇବାକୁ ଝାଡଖଣ୍ଡ କୃଷି ବିଭାଗ ଦାୟିତ୍ୱ ନେଇଛି ।

ଧୋନିଙ୍କ ଫାର୍ମ ହାଉସରେ ଉତ୍ପାଦିତ ହେଉଥିବା ପନିପରିବାକୁ ଦୁବାଇ ବଜାରରେ ବିକ୍ରି କରିବାର ଦାୟିତ୍ୱ ନେଇଛି ଅଲ୍ ସିଜିନ ଫାର୍ମ ଫ୍ରେସ୍ ଏଜେନ୍ସି । ଏହି ଏଜେନ୍ସି ମାଧ୍ୟମରେ ଆରବ ଦେଶ ଗୁଡିକରେ ପୂର୍ବରୁ ମଧ୍ୟ ଦେଶୀ ପନିପରିବା ବିକିଛି କୃଷି ବିଭାଗ । ତେବେ ଧୋନୀ ଅର୍ଗାନିକ ଉପାୟରେ ଚାଷ କରୁଥିବାରୁ ଏହାର ଚାହିଦା ଭାରତୀୟ ବଜାର ଖାସକରି ସ୍ଥାନୀୟ ବଜାରରେ ଯଥେଷ୍ଟ ଅଧିକ ରହିଛି । ଭାରତରେ ଲୋକପ୍ରିୟ କ୍ରିକେଟରର ଟ୍ୟାଗ୍ ପାଇଥିବା ଧୋନୀଙ୍କର ଫ୍ୟାନ୍ ଯଥେଷ୍ଟ ଅଧିକ ରହିଥିବାରୁ ତାଙ୍କ କ୍ଷେତରୁ ଉତ୍ପାଦିତ ହେଉଥିବା ପରିବାକୁ ମଧ୍ୟ ଲୋକେ ବେଶ କରୁଛନ୍ତି ।

ଦେଶ ଓ ବିଦେଶରେ ଧୋନୀ ଏକ ବ୍ରାଣ୍ଡ ଭାବେ ଜଣାଶୁଣା । ଲୋକପ୍ରିୟ ଆଇକନ ହୋଇଥିବାରୁ ତାଙ୍କ କ୍ଷେତରୁ ଉତ୍ପାଦିତ ହେଉଥିବା ପନିପରିବା ସହ ଝାଡଖଣ୍ଡର ନାଁ ଯୋଡି ହେଲେ ଏହାର ଫାଇଦା ସିଧାସଳଖ ସ୍ଥାନୀୟ ଚାଷୀଙ୍କୁ ମିଳିବ ବୋଲି କହିଛନ୍ତି ସରକାରୀ ଅଧିକାରୀ । ଏପରିକି ଯେଉଁ ଏଜେନ୍ସି ଝାଡଖଣ୍ଡ ବଜାରକୁ ଆସିବାକୁ ନାକ ଟେକୁଥିଲେ ସେମାନେ ଏବେ ଧୋନୀଙ୍କ ପନିପରିବା ସହ ସ୍ଥାନୀୟ ଚାଷୀଙ୍କ ପନିପରିବାକୁ ମଧ୍ୟ ବିଦେଶ ପଠାଇବା ପାଇଁ ଆଗେଇ ଆସିବେ ।

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ରାଞ୍ଚିର ସେମ୍ବୋରେ ଥିବା ଫାର୍ମ ହାଉସରେ ଅର୍ଗାନିକ ଫାର୍ମି ଆରମ୍ଭ କରିଛନ୍ତି ଧୋନି । ଫାର୍ମହାଉସର ପ୍ରାୟ ୪୩ ଏକର ଜମିରୁ ୧୦ ଏକର ଜମିରେ ଏହି ଅର୍ଗାନିକ ଫାର୍ମିଂ କରୁଛନ୍ତି ଧୋନି । ଟମାଟର, କୋବି, ମଟର, ଓଲ, ବ୍ରୋକଲି ଭଲି ପନିପରିବା ଏବେ ଧୋନିଙ୍କ ଫାର୍ମ ହାଉସରୁ ଉତ୍ପାଦନ ହେଉଛି । ଆଉ ଏହି ପନିପରିବାର ଡିମାଣ୍ଡ ସ୍ଥାନୀୟ ବଜାରରେ ବେଶ ଅଧିକ ରହିଛି । ସେହିଭଳି ଦୁବାଇକୁ ଏହି ପନିପରିବା ପଠାଇବା ପଛର ବଡ କାରଣ ହେଉଛି ଦୁବାଇରେ ଥିବା ଧୋନିଙ୍କ ପ୍ରଂଶସକ । ଦୁବାଇରେ ଧୋନିଙ୍କର ଯଥେଷ୍ଟ ପ୍ରଂଶସକ ରହିଛନ୍ତି । ଯେତେବେଳେ ବି ଭାରତ ଦୁବାଇରେ ମ୍ୟାଚ୍ ଖେଳିଥାଏ ଧୋନିଙ୍କୁ ଚିୟର ଅପ୍ କରିବାକୁ ଷ୍ଟାଡିୟକୁ ବହୁ ମାତ୍ରାରେ ପ୍ରଂଶସକ ଆସିଥାନ୍ତି । ତେଣୁ ଧୋନିଙ୍କ ଟ୍ୟାଗ୍ ଥିବା ପନିପରିବାକୁ ଦୁବାଇ ବଜାରରେ ମଧ୍ୟ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।