କନକ ବ୍ୟୁରୋ: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ପରିବା ଦର ଆକାଶ ଛୁଅାଁ ହୋଇଛି । ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା । ଟମାଟୋ, ପିଆଜ ଦର ୧୦୦ ଉପରେ ଥିବା ବେଳେ କଲରା ୧୦୦, ପୋଟଳ ୮୦, ବାଇଗଣ ୧୦୦, ଝୁଡ଼ଙ୍ଗ ୮୦ ଟଙ୍କା ଛୁଇଁଛି ଦର । ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।

Advertisment

ବାଲେଶ୍ୱର ସହରରେ ବନ୍ଦ ରହିଛି ଇଣ୍ଟରନେଟ ସେବା । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ସହରରେ ସମସ୍ତେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି ।

ବାଲେଶ୍ୱର ସଦର ସୁନହଟ ଅଂଚଳରେ ସମୋବାର ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି । ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଥିଲେ ।