ପରିବା ବଜାରରେ ତିତଲି ପ୍ରଭାବ ! ବନ୍ୟା ଯୋଗୁଁ ଫସଲ ହାନି ପରେ ଆକାଶ ଛୁଆଁ ପରିବା ଦର ।

135

କନକ ବ୍ୟୁରୋ : ବ୍ରହ୍ମପୁର ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ତିତଲି ବନ୍ୟାରେ ପନିପରିବା ଫସଲ ଉଜୁଡି ଯିବା ପରେ ୫୦ ଟଙ୍କା ଉପରେ ରହୁଛି ପରିବା ଦର । କାର୍ତିକରେ ପରିବା ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । ପୂର୍ବ ଅପେକ୍ଷା ଏବେ ଦୁଇଗୁଣ ହୋଇଛି ପରିବା । ପ୍ରାୟ ସବୁ ପରିବା ଦର ୫୦ ଟଙ୍କା ଉପରେ ରହିଛି ।

କାର୍ତ୍ତିକରେ ଆକାଶଛୁଆଁ ପରିବା ଦର । ତିତଲି ପ୍ରଭାବରେ ବଢିଲା ଦର । ଦକ୍ଷିଣ ଓଡ଼ିଶାର ବୃହତ ସହର ବ୍ରହ୍ମପୁରରେ ହୁହୁ ହୋଇ ବଢୁଛି ପରିବା ଦର । କାର୍ତିକରେ ଅଧିକାଂଶ ଲୋକ ଆମିଷ ଖାଉନଥିବା ବେଳେ ପରିବାର ଉପରେ ଅଧିକ ମାଡ ପଡୁଛି । ଆଉ ଏତିକି ବେଳେ ବଜାରରେ ଗୋଟିଏ ଦୁଇଟି ପରିବାକୁ ଛାଡି ଦେଲେ ବାକି ସବୁ ପରିବା ଦର ୫୦ ଟଙ୍କା ଉପରେ ରହିଛି । ବାଇଗଣ କିଲୋ ପ୍ରତି ୪୦ ରୁ ୫୦ ଟଙ୍କା, ଫୁଲକୋବି କିଲୋ ପ୍ରତି ୬୦ ଟଙ୍କା, ପୋଟଳ କିଲୋ ପ୍ରତି ୬୦ ଟଙ୍କା, ବିନ୍ କିଲୋ ପ୍ରତି ୮୦ ଟଙ୍କା, ଗାଜର କିଲୋ ପ୍ରତି ୭୦ ଟଙ୍କା, ମୂଳା ବିଡାକୁ ୩୦ ଟଙ୍କା ।  ଶାଗର ଦାମ ମଧ୍ୟ କିଛି କମ୍ ନୁହଁ । ତିତଲି ପରବର୍ତୀ ବନ୍ୟାରେ ଫସଲ ନଷ୍ଟ ହୋଇ ଯିବା ପରେ ଏ ହେଉଛି ତାର ପ୍ରଭାବ  । 

ପୂର୍ବରୁ ଗ୍ରାହକ ୨୦୦ ଟଙ୍କାରେ ଯେତିକି ପରିବା କିଣୁଥିଲେ ଏବେ ୪୦୦ ଟଙ୍କାରେ ସେତିକି ପରିମାଣରେ ପରିବା କିଣିବା କଷ୍ଟ କର । ତଥାପି ଏବେ କାର୍ତିକ ମାସରେ ହବିସ ଚାଲିଥିବାରୁ ବାଧ୍ୟ ହୋଇ ଖାଉଟି ପରିବା କିଣୁଥିବା କହିଛନ୍ତି । ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ପନିପରିବା ଚାଷ ନଷ୍ଟ ହୋଇଯିବାରୁ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି ।