କାର୍ତ୍ତିକରେ ପରିବା ବଜାରରେ ଚଡକ ! ଦର ବୃଦ୍ଧି ଯୋଗୁଁ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ

146

କନକ ବ୍ୟୁରୋ : ପରିବା ବଜାରରେ ଲାଗିଛି ନିଆଁ । କାର୍ତ୍ତିକ ମାସର ଅଧା ଦିନ ବିତିଗଲାଣି କିନ୍ତୁ ପରିବା ବଜାରରେ ଏମିତି ନିଆଁ ଲାଗିଛି ଯେ, ସବୁଜ ପନିପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ହୁ ହୁ ହୋଇ ବଢିଚାଲିଛି ପରିବା ଦର । କାର୍ତ୍ତିକ ମାସର ଦିନ ଗଡିବା ସହ ପରିବା ଦର ମଧ୍ୟ ବଢି ବଢି ଚାଲିଛି । କାରଣ ଲଘୁଚା ବର୍ଷା ପରେ ପରିବା ଆମଦାନୀ କମ ରହୁଥିବାରୁ ସବୁଜ ପନିପରିବାର ଦର ଏବେ ଆକାଶଛୁଆଁ । ଆଉ ଏହାର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ ଗରିବଙ୍କ ହାଣ୍ଡିଶାଳରେ ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଛି ଯେ ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି । ବଜାରରେ ଏବେ ସବୁ ପରିବା ଦର ୪୦ ଉପରେ । ଦୁଇ ଦିନ ଭିତରେ ବଜାରରେ ଆଳୁ, ପିଆଜ, ଟମାଟୋ, ବାଇଗଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢିଛି ।

vegetableଆଳୁ କିଲୋ ପ୍ରତି ପୂର୍ବରୁ ୨୦ ଟଙ୍କା ଥିବା ବେଳେ ଏବେ ୩୫ ଟଙ୍କା ରହିଛି । ସେହିଭଳି ପିଆଜ କିଲୋ ପ୍ରତି ପୂର୍ବରୁ ଥିଲା ୨୫ ଏବେ ୪୩ । ଟମାଟୋ କିଲୋ ପ୍ରତି ୩୫ ଥିବା ବେଳେ ଏବେ ୬୦ । ବାଇଗଣ କିଲୋ ପ୍ରତି ପୂର୍ବରୁ ଥିଲା ୪୦ ଏବେ ୭୦ ଛୁଇଁଛି । ଯାହାକୁ ଛୁଇଁବାକୁ ଗ୍ରାହକଙ୍କୁ ଡରୁଛନ୍ତି । ଦର ଅଧିକ ଥିବାରୁ ବେପାର ମଧ୍ୟ ମାନ୍ଦା ରହୁଛି । ଯାହାକୁ ନେଇ ବ୍ୟବସାୟୀ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି । ବ୍ୟବସାୟୀଙ୍କ କହିବା କଥା ଲଗାଣ ବର୍ଷା ଯୋଗୁଁ ପରିବା ଆମଦାନୀ ଠିକ୍ ଭାବେ ହେଉ ନାହିଁ । ତେଣୁ ଯେତିକି ମାଲ ଅସୁଛି ତାହାର ଉଚ୍ଚା ଦାମ ରହୁଛି । ଦର ଉଚ୍ଚା ଯୋଗୁଁ ଯେଉଁଠି ଗ୍ରାହକ ଗୋଟିଏ କିଲୋ ନେବା କଥା ସେଠି ଅଧକିଲୋ, ଅଢେଇ ଶହ ନେଉଛନ୍ତି ।

ତେବେ ପନିବରିବା ପାଇଁ କେବଳ ବ୍ୟବସାୟୀ ଘାଟା ସହିଛନ୍ତି ତାହା ନୁହେଁ ବରଂ ଏହା କାର୍ତ୍ତିକ ମାସର ହବିଷ ଡାଲମାକୁ ମଧ୍ୟ ଟିକିଏ ପାଣିଚିଆ କରିଦେଇଛି । ପନିପରିବାର ଦର ବୃଦ୍ଧି ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକ ଆମିଷ ଖାଉନଥିବାରୁ ନିରାମିଷ ତରକାରି ହବିଷ ପାଇଁ ଲୋକ ପନିପରିବା ଉପରେ ନିର୍ଭର କରିଥାନ୍ତି । ତେବେ ଲୋକଙ୍କ ଚାହିଦାକୁ ଦେଖି ବେପାରୀ ମାନେ ମଧ୍ୟ ଏଭଳି ସୁଯୋଗକୁ ହାତଛଡା କରିବାକୁ ନାରାଜ । ପାଟିରୁ ଯାହା ବାହାରିଲା ସେହି ଦରରେ ବିକ୍ରି ହେଉଛି ପରିବା । ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି । କେବଳ ଲଘୁଚାପ ବର୍ଷା ନୁହେଁ ଜିଏସିଟି ମଧ୍ୟ ପନିପରିବା ଦରର ବୃଦ୍ଧିର ଅନ୍ୟ ଏକ କାରଣ । ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଜିଏସଟି ଲାଗୁ ହେବା ପରେ ଗାଡି ଭଡା ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ପନିପରିବା ଦରରେ ବୃଦ୍ଧି ଘଟିଛି ।

odishaସାଧାରଣତଃ କାର୍ତ୍ତିକ ମାସରେ ପନିପରିବା ଦର ଅନ୍ୟଦିନ ଅପକ୍ଷୋ ଟିକିଏ ଶସ୍ତା ରହିଥାଏ । ଏହି ସମୟରେ ହିଁ ବିଭିନ୍ନ ସବୁଜ ପନିପରିବା ଉତ୍ପାଦନ ହୋଇଥାଏ । କିନ୍ତୁ ଚଳିତଥର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଅନ୍ୟଦିନ ଅପେକ୍ଷା କାର୍ତ୍ତିକରେ ହିଁ ପରିବା ଦର ଆକାଶ ଛୁଆଁ ହୋଇଛି । ଏପରିକି ଧନିଆ ପତ୍ରର କେଜି ପ୍ରତି ମୂଲ୍ୟ ୪୦୦ ଟଙ୍କାରେ ପହଞ୍ଚିଛି । ତେବେ ପରିବା ଦରର ଏଭଳି ମୂଲ୍ୟବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱରର ଭଳି ସହରରେ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । କାର୍ତ୍ତିକ ମାସ ଆସିଲେ ବେପାରୀ ବିଭିନ୍ନ ବାହାନା ଦେଖାଇବା ଆରମ୍ଭ କରନ୍ତି ବୋଲି ଜଣେ ଗ୍ରାହକ କହିଛନ୍ତି । ତେବେ କାର୍ତ୍ତିକ ମାସ ପ୍ରାରମ୍ଭରୁ ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଥିବାରୁ ପଞ୍ଚୁକରେ ଅବସ୍ଥା କଣ ହେବ ତାହାକୁ ନେଇ ଏବେଠୁ ଗ୍ରାହକ ଚିନ୍ତାରେ ।ତେବେ ପରିବାର ଦର ବୃଦ୍ଧି ପାଇଁ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଗ୍ରାହକ । ଶୀତଳ ଭଣ୍ଡାର ଅଧିକ ନଥିବାରୁ ଏଭିଳି ସ୍ଥିତି ଉପୁଜିଛି ।