କାର୍ତ୍ତିକରେ ‘ପରିବା’ କହୁଛି ମୋତେ ଛୁଅଁନା ! ବଜାର ଦର ଦେଖି ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ

192

କନକ ବ୍ୟୁରୋ : ପରିବା ବଜାରରେ ଲାଗିଛି ନିଆଁ । କାର୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଏମିତି ନିଆଁ ଲାଗିଛି ଯେ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ହୁ ହୁ ହୋଇ ବଢିଚାଲିଛି ପରିବା ଦର । କାର୍ତ୍ତିକ ମାସର ଦିନ ଯେତିକି ବଢୁଛି ପରିବା ଦର ସେତିକି ବଢି ବଢି ଚାଲିଛି । ଅନ୍ୟବେଳେ ଯେଉଁ ପରିବା କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା ସେସବୁ ଏବେ ୬୦ ଉପରେ। ଏହା ହବିଷ ଡାଲମାକୁ ଦର ବୃଦ୍ଧି ମାଡ଼ ସଦୃଶ ହୋଇଛି। ଲୋକଙ୍କ ପକେଟକୁ ବାଧୁଥିଲେ ମଧ୍ୟ ଲୋକ ହବିଷ ଡାଲମା ପାଇଁ ଆବଶ୍ୟକ ଦେଶୀ ଆଳୁ, ଓଉ, ଟମାଟୋ, ସାରୁ ଆଦି କିଣିବାକୁ ବାଧ୍ୟ ହେଉଛନ୍ତି।

CK-MKT-(6)ହିନ୍ଦୁ ମାନଙ୍କ ପାଇଁ କାର୍ତିକ ମାସର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ଅଧିକାଂଶ ଲୋକ ଆମିଷ ଖାଉ ନଥିବାରୁ ନିରାମିଷ ତରକାରି ପାଇଁ ପରିବା ଉପରେ ନିର୍ଭର କରିଥାନ୍ତି। ଆଉ ଏହି ସୁଯୋଗକୁ ବେପାରୀମାନେ ହାତ ଛଡ଼ା କରିବାକୁ ନାରାଜ। ପାଟିରୁ ଯାହା ବାହାରିଲା ସେହି ଦରରେ ବିକ୍ରି ହେଉଛି ପରିବା । ଇଚ୍ଛା ନଥିଲେ ମଧ୍ୟ ପରିବା ନେବାକୁ ବାଧ୍ୟ ହେଉଛନ୍ତି ଗରାଖ । ପରିବା ପାଇଁ ଲୋକଙ୍କର ଏହି ମାସରେ ଅଧିକ ଚାହିଦା ଥିବାରୁ ବର୍ତମାନ ଅଧିକ ଦରରେ ପରିବା ବିକ୍ରି କରୁଛନ୍ତି। ପରିବାର ଅତ୍ୟଧିକ ଦର ବୃଦ୍ଧି ନେଇ ବେପାରୀମାନେ କହିଛନ୍ତି, ବର୍ତମାନ ଯେତିକି ପରିବା ଆମଦାନି ହେଉଛି, ତାହାଠାରୁ ଗ୍ରାହକଙ୍କ ଚାହିଦା ଅଧିକ ରହିଛି। ଏଥି ସହିତ ଅନ୍ୟ ରାଜ୍ୟରେ ବର୍ଷା ହେଉଥିବାରୁ ପନିପରିବା ନଷ୍ଟ ହେଇ ଯାଉଛି । ଯାହାର ପ୍ରଭାବ ସିଧାସଳଖ ବଜାର ଦର ଉପରେ ପଡୁଛି । ତେଣୁ ବାଧ୍ୟ ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛୁ ବୋଲି କିଛି ବେପାରୀ କହିଛନ୍ତି । ପୁଣି ଜିଏସଟି ଲାଗୁ ପରେ ଗାଡ଼ି ଭଡ଼ା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଦର ମଧ୍ୟ ବୃଦ୍ଧି ହୋଇଛି। ଏଣୁ କାର୍ତିକରେ ପରିବା ଦର ଅତ୍ୟଧିକ ବୃଦ୍ଧି କରିବାକୁ ଆମେ ବାଧ୍ୟ ହେଉଛି।

ରାଜଧାନୀର ଅନ୍ୟତମ ପ୍ରମୁଖ ୪ନଂ ପରିବା ମାର୍କେଟ୍ରେ ଦର ଆକାଶଛୁଅଁ ହୋଇଛି। ଟମାଟୋ କେଜି ପ୍ରତି ୬୦ ଟଙ୍କା, ବାଇଗଣ ୬୦ ଟଙ୍କା, ଅମୃତଭଣ୍ଡା କେଜି ୩୦ ଟଙ୍କା ରହିଛି। ୪ ନଂ ହାଟ ଅପେକ୍ଷା ୨ ନଂ ହାଟରେ ପରିବା ଟିକେ ଶସ୍ତା ଥିଲେ ବି, ଅନ୍ୟ ଦିନ ଅପେକ୍ଷା ଅଧିକ ରହିଛି। ଗତ ସପ୍ତାହକ ତଳେ ବାଇଗଣ ୩୦, ପୋଟଳ ୨୦ ଓ କଖାରୁ ୧୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ବର୍ତମାନ ବାଇଗଣ , ପୋଟଳ କେଜି ପ୍ରତି ଦଶ ଟଙ୍କା ଅଧିକରେ ବ୍ରକି କରୁଥିବା ବେଳେ କଖାରୁ ୧୨ ଟଙ୍କାରେ ବିକ୍ରି ହେଉଛି। ସପ୍ତାହକ ତଳେ ଯେଉଁ ଲାଉ ୧୫ ଟଙ୍କାରେ ବିକ୍ରି ହେଉଥିଲା ଏବେ କେଜି ପ୍ରତି ମୂଲ୍ୟ ୨୦ ଟଙ୍କା ବୃଦ୍ଧି ପାଇଛି । ଅହେତୁକ ଭାବେ ପନିପରିବା ଦର ବୃଦ୍ଧିକୁ ନେଇ କିଛି ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ତ୍ତିକ ମାସ ଆସିଲେ ବେପାରୀ ବିଭିନ୍ନ ବାହାନା ଦେଖାଇବା ଆରମ୍ଭ କରନ୍ତି ବୋଲି ଜଣେ ଗ୍ରାହକ କହିଛନ୍ତି । ତେବେ କାର୍ତ୍ତିକ ମାସ ପ୍ରାରମ୍ଭରୁ ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଥିବାରୁ ପଞ୍ଚୁକରେ ଅବସ୍ଥା କଣ ହେବ ତାହାକୁ ନେଇ ଏବେଠୁ ଗ୍ରାହକ ଚିନ୍ତାରେ ।