ପରିବା ବଜାରରେ ପଞ୍ଚୁକ ତାତି : ୫୦ ଟଙ୍କା ଉପରେ ପ୍ରାୟ ସବୁ ପରିବା ଦର

ଦର ବୃଦ୍ଧି ଯୋଗୁଁ କମ୍ ପରିବା କିଣୁଛନ୍ତି ଖାଉଟି, କ୍ଷତିଗ୍ରସ୍ତ ହେଉଛନ୍ତି ବେପାରୀ

168

କନକ ବ୍ୟୁରୋ : ପରିବା ବଜାରରେ ପଞ୍ଚୁକ ତାତି । ଏବେ ପଞ୍ଚୁକ ଚାଲିଥିବା ବେଳେ ପରିବା ଦର ଆକାଶ ଛୁଆଁ । ପ୍ରାୟତଃ ସବୁ ଓଡ଼ିଆଙ୍କ ଘରେ ଆମିଷ ବାରଣ । ଘରେ ଘରେ ଚାଲିଛି ହବିଷ କିମ୍ବା ନିରାମିଷ ଭୋଜନ ବିଧି। ମାତ୍ର ଏତିକିବେଳେ ପରିବା ବଜାରର ତାତି ପଞ୍ଚକ ପାଳନକୁ ଅଧିକ କଷ୍ଟଦାୟକ କରିଛି । ବଜାରରେ କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ । କେବଳ ଆଳୁ, ସାରୁ ଓ କଖାରୁକୁ ବାଦ୍‌ ଦେଲେ ଅନ୍ୟ ସବୁ ପରିବା ୫୦ ଟଙ୍କା ପାର୍‌ କରିଯାଇଛି ।

ଏମିତିକି ଏବେ ଫୁଲକୋବି ବି କେଜି ଦରରେ ବିକ୍ରି ହେଉଛି । ପ୍ରାୟ ସବୁ ହାଟରେ ଫୁଲକୋବି କେଜି ୮୦ ଟଙ୍କା ରହିଛି। ତେଣୁ ପଞ୍ଚୁକ ପାଳୁଥିବା ଲୋକଙ୍କ ହାଣ୍ଡିଶାଳରେ ଚଡ଼କ ପଡ଼ିଛି ବୋଲି କୁହାଯାଉଛି। ଏହି ଦରବୃଦ୍ଧି କାରଣରୁ ଖାଉଟିମାନେ କମ୍ ପରିମାଣର ପରିବା କିଣିବାକୁ ବାଧ୍ୟ ହେଉଥିବାରୁ ବେପାରୀମାନେ ବି କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ବର୍ତ୍ତମାନର ପରିବା ଦର ବୃଦ୍ଧି ଉଭୟ ବେପାରୀ ଓ ଖାଉଟିଙ୍କ ପାଇଁ କାଳ ସାଜିଛି ।

କଟକରେ ଟମାଟୋ କିଲୋ ୭୦ ଟଙ୍କା, ବିନ୍ସ ୭୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, ପୋଟଳ ୫୦ ଟଙ୍କା, କୁନ୍ଦୁରି ୪୦ ଟଙ୍କା ରହିଛି । ସେହିପରି ବାଇଗଣ ୩୫, ଶାଗ ବିଡ଼ା ୧୦ ଟଙ୍କାରେ ମିଳୁଛି । ବନ୍ଧାକୋବି ଓ ଫୁଲକୋବି ଗୋଟା ୪୦ ଟଙ୍କା ବିକ୍ରି ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦର ଏହିପରି ରହିଛି । ପରିବା ଦର ବୃଦ୍ଧି ଯୋଗୁ ଲୋକେ କମ୍ ପରିମାଣର ପରିବା କିଣୁଛନ୍ତି । ଫଳରେ ବେପାରୀ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ବର୍ତମାନର ପରିବାର ଦର ଉଭୟ ଖାଉଟି ଓ ବ୍ୟବସାୟୀଙ୍କ ପାଇଁ କାଳ ହୋଇଛି ।

ୟୁନିଟ୍-୧ ହାଟରୁ ମିଳିଥିବା ସୂଚନାନୁସାରେ କିଲୋ ହିସାବରେ ଟମାଟୋ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା, ପୋଟଳ ୫୦ ଟଙ୍କା, ବିନ୍‌ସ ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଝୁଡୁଙ୍ଗ ୫୦ ଟଙ୍କା, କଲରା ୪୦ ଟଙ୍କା, ତରକାରୀ କଦଳୀ ଗୋଟାକୁ ୬/୭ ଟଙ୍କା, ଖମ୍ବ ଆଳୁ ୩୫ ଟଙ୍କା କଖାରୁ ୧୨/୧୩ ଟଙ୍କା ଓ ଫୁଲକୋବି ଗୋଟା ୪୦ ରୁ ୫୦ ଟଙ୍କା ରହିଛି। ରାଜଧାନୀରେ ଏହି ହାଟ ଏକପ୍ରକାର ପାଇକାରୀ ହାଟ ହୋଇଥିବାରୁ ଏଠାରେ ସାଧାରଣତଃ ପରିବା ଦର କିଛିଟା କମ୍‌ ଥାଏ । ଅଧିକ ସଂଖ୍ୟାରେ ବେପାରୀ ଓ ଅଧିକ ମାଲ୍ ଆସୁଥିବାରୁ ଏଠାରେ ପରିବା ଦର କମ୍ ଥାଏ ।

ମାତ୍ର ରାଜଧାନୀର ଅନ୍ୟ ସବୁ ହାଟର ଚିତ୍ର ପୂରା ଭିନ୍ନ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଡମଣା ହାଟ, ରେଲ୍‌ୱେ ମାର୍କେଟ୍‌ରେ ପରିବା ଦର ଆକାଶଛୁଆଁ । ଏସବୁ ଅଞ୍ଚଳରେ ଟମାଟୋ କିଲୋ ୮୦ ଟଙ୍କା ଥିବା ବେଳେ ଝୁଡ଼ଙ୍ଗ, ବିନ୍‌ସ ୧୦୦, ବାଇଗଣ ୫୦ରୁ ୬୦ ଟଙ୍କା, ଫୁଲକୋବି ଗୋଟାକୁ ୬୦ ଟଙ୍କା, ଭେଣ୍ଡି ୫୫ ଟଙ୍କା, ଅମୃତଭଣ୍ଡା ୩୦, କଲରା ୬୦ ଟଙ୍କା, ପୋଟଳ ୮୦ ଟଙ୍କା‌, ବିନ୍‌ସ ୧୦୦ ଟଙ୍କା, କାକୁଡ଼ି ୫୦, କଞ୍ଚା କଦଳୀ ଗୋଟା ୮ ଟଙ୍କା ଓ କଲରା ୬୦ ଟଙ୍କା‌ରେ ବିକ୍ରି ହେଉଛି। ସେହିଭଳି ଲିଙ୍ଗରାଜ ହାଟରେ ବି ଅନୁରୂପ ଦର ।