ଓଡିଶା ଚାଷୀର ବିଲରେ ସଢୁଛି ପରିବା : ମାଲାମାଲ ହେଉଛନ୍ତି ବାହାର ରାଜ୍ୟର ଚାଷୀ

32

କନକ ବ୍ୟୁରୋ : ସମ୍ବଲପୁର ପରେ ବଲାଙ୍ଗିର । ଛତିଶଗଡ ପରେ ବେଙ୍ଗାଲୁରୁ, ଅନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ପରିବା ଆମଦାନୀ ନେଇ ଆସିଲା ତଥ୍ୟ । ଆଳୁ, ପିଆଜଠୁ ଆରମ୍ଭ କରି କୋବି, ବାଇଗଣ, ଟମାଟୋ ସବୁକିଛି ଓଡିଶା ବଜାରକୁ ଆସୁଛି ବାହାରୁ । ଗୋଟିଏ ପଟେ ଓଡିଶା ଚାଷୀ ନିଜ ଉତ୍ପାଦନର ପାଉନାହିଁ ଉଚିତ ମୂଲ୍ୟ । ବିଲରେ ପଡି ସଢୁଛି ପରିବା । ଅଭାବୀ ବିକ୍ରିର ଶିକାର ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଆଉ ସେପଟେ ବାହାର ରାଜ୍ୟରୁ ଚଢା ଦରରେ ଆମଦାନୀ ହେଉଛି ପରିବା ।

ଓଡିଶା ଚାଷୀର ରାସ୍ତାରେ ଗଡୁଛି ବିଲାତି ବାଇଗଣ । ବଡ ବଜାରରେ ପରିବା ପହଂଚାଇବାକୁ ପରିବହନ ଖର୍ଚ୍ଚ ତୁଲାଇ ପାରୁନାହିଁ । କମ୍ ମୂଲ୍ୟରେ ସ୍ଥାନୀୟ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେପଟେ ବାହାରୁ ଆସୁଥିବା ପରିବାକୁ ଅଧିକ ଦାମରେ କିଣୁଛନ୍ତି ସହରୀ ଗ୍ରାହକ ।

ସାରା ରାଜ୍ୟରେ ସମାନ ଚିତ୍ର । ଟମାଟୋ, କୋବି ପରି ଶୀଘ୍ର ନଷ୍ଟ ହେଉଥିବା ପରିବାକୁ ସଂରକ୍ଷଣ ପାଇଁ ନାହିଁ ସୁବିଧା । ସେହିପରେ ଗାଁ ଗହଳିରେ ପରିବା ଚାଷ କରୁଥିବା ଛୋଟ ଚାଷୀଙ୍କୁ ବଡ ବଜାରରେ ପହଂଚାଇବାକୁ ନାହିଁ ବ୍ୟବସ୍ଥା । ଏପରି ସ୍ଥଳେ ହନ୍ତସନ୍ତ ହେଉଛନ୍ତି ଓଡିଶା ଚାଷୀ । ଆଉ ଓଡିଶା ବଜାରକୁ ପରିବା ପଠାଇ ମାଲାମାଲ ହେଉଛନ୍ତି ବାହାର ରାଜ୍ୟର ଚାଷୀ ।