କେମିତି ହୁଏ ପରିବା ବ୍ୟବସାୟ? କେତେ ଲାଭ ପାଏ ଚାଷୀ, ଆଉ କେତେ କମାଏ ଖୁଚୁରା ଦୋକାନୀ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ନିଲାମ ଡାକି କମ ଦରର ପରିବା କିଣି ନେଉଛନ୍ତି ଗୋଦାମ ମାଲିକ;କ୍ଷତି ସହୁଛି ଚାଷୀ, ମାଲାମାଲ ଗୋଦାମ ମାଲିକ ଓ ଖୁଚୁରା ବ୍ୟବସାୟୀ

661

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି କେମିତି ହୁଏ ପରିବା ବ୍ୟବସାୟ? କେତେ ଲାଭ ପାଏ ଚାଷୀ , ଆଉ କେତେ କମାଏ ଖୁଚୁରା ଦୋକାନୀ? ଯଦି ନାଁ , ତେବେ ପଢନ୍ତୁ ଏହି ରିପୋର୍ଟ । ଏହି ରିପୋର୍ଟରେ ଆମେ ଜଣାଇବୁ କି କେମିତି ବେପାରୀଙ୍କ ଚକ୍ରବ୍ୟୁହରେ ଫସି ଯାଉଛି ଅସହାୟ ଚାଷୀ । ଆଉ ଚାଷୀକୁ ଲୁଟି କେମିତି ମାଲାମାଲ ହେଉଛନ୍ତି ବ୍ୟବସାୟୀ । ଖୋଦ କୃଷିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚାଷୀର ଏହି ଅସହାୟତାର ଚିତ୍ର ଆପଣଙ୍କୁ ବି ଟିକିଏ ଭାବିବାକୁ ବାଧ୍ୟ କରିବ । ବଜାରରେ ଉପଲବ୍ଧ ପରିବାର ଅସଲ ରେଟ କେତେ ହେଇଥିବ ସେସଂପର୍କରେ ଆପଣଙ୍କ ମନରେ ଏକ ଧାରଣା ମଧ୍ୟ ତିଆରି କରିବ ।

ରାତି ଅନ୍ଧାରରୁ ଉଠି ଶୀତରେ ଥୁରୁଥୁରୁ ହୋଇ ବିଲରୁ ପରିବା ବୋହି ଆଣି ଅପେକ୍ଷା କରିଛନ୍ତି ଚାଷୀ । ଚାଲିଛି ମୁଲଚାଲ, ଡକା ଚାଲିଛି ନିଲାମ । କେତେ ଟଙ୍କାରେ ଚାଷୀର ପରିବା ବିକା ହେବ ତାହା ସ୍ଥିର କରୁଛନ୍ତି ଗୋଦାମ ମାଲିକ ଆଉ ବ୍ୟବସାୟୀ । ଆଉ ଯାହା ବି ମୂଲ୍ୟ ସ୍ଥିର ହେବ ସେତିକିରେ ହିଁ ଚାଷୀ ତାର ଉତ୍ପାଦ ବିକ୍ରୀ କରିବାକୁ ବାଧ୍ୟ ହେବ ।

ମାଟି ସାଙ୍ଗରେ ମାଟି ହୋଇ ଫସଲ ଫଳାଉଛି ଚାଷୀ । ଚାଷ ସମୟରେ ଅନେକ ପ୍ରତିକୂଳ ପରିସ୍ଥିତିର ବି ସାମ୍ନା କରିବାକୁ ପଡୁଛି । ହେଲେ ଉତ୍ପାଦନ ଠାରୁ ଅଧିକ କଷ୍ଟ ପରିବା ବିକିବା । କାରଣ କୌଣସି ଖୁଚୁରା ବେପାରୀ ସିଧା ସଳଖ ଚାଷୀ ଠାରୁ ପରିବା କିଣୁ ନାହାଁନ୍ତି । ତେଣୁ ବାଧ୍ୟ ହୋଇ ଚାଷୀ ପରିବାକୁ ଗୋଦାମରେ ଦେବାକୁ ପଡୁଛି । ଆଉ ଗୋଦାମରେ ଖୁଚୁରା ବ୍ୟବସାୟୀଙ୍କ ଇଛା ଅନୁଶାରେ ଦର ନିର୍ଦ୍ଧାରଣ କରୁଛନ୍ତି ମାଲିକ । ଯାହାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।

ଚାଷୀ ଓ ବେପାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଗୋଦାମ କର୍ତୃପକ୍ଷ କାମ କରୁଥିବା କୁହାଯାଉଛି । ଚାଷୀକୁ ପରିବା ମୂଲ୍ୟ ନଗଦ ଆକାରରେ ଦିଆଯାଉଥିବା ବେଳେ ଖୁଚୁରା ବ୍ୟବସାୟୀ ବାକିରେ ନେଉଛନ୍ତି । ଏଥିପାଇଁ ଚାଷୀ ଠାରୁ ଗୋଦାମ କର୍ତୃପକ୍ଷ ୮ପ୍ରତିଶତ କମିଶନ ପାଉଛନ୍ତି । ଅନ୍ୟପଟେ ଏକ ମହତ ଉଦ୍ଦେଶ୍ୟରେ ଏଭଳି କିଛି କରାଯାଉଛି ବୋଲି କହୁଛନ୍ତି ଗୋଦାମ ମାଲିକ । ସେପଟେ ପ୍ରାୟ ୫୦ ପ୍ରତିଶତ ଲାଭାଂଶ ରଖୁଥିବା ଖୁଚୁରା ବ୍ୟବସାୟୀ କିନ୍ତୁ ସବୁ ଦୋଷ ଲଦି ଦେଇଛନ୍ତି ଗୋଦାମ ମାଲିକ ଓ ଚାଷୀ ମୁଣ୍ଡରେ । ତେବେ ଏହି ପୁରା ପ୍ରକ୍ରୀୟାକୁ ଦେଖିଲେ ଚାଷୀ କେବଳ ଖଟିବା ସାର ହେଉଥିବା ବେଳେ ଅନ୍ୟମାନେ ମାଲାମାଲ ହେଉଥିବା ମନେ ହେଉଛି ।