ଜେଲରେ କଏଦୀ କରୁଛନ୍ତି ପରିବା ଚାଷ । ଜେଲରେ ଥିବା ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପ୍ରୟାସ ।

214

କନକ ବ୍ୟୁରୋ : ଜେଲରେ ଥିବା କଏଦୀଙ୍କ ଆଚାର ବ୍ୟବହାରରେ ସୁଧାର ଆଣିବା ପାଇଁ ଫୁଲବାଣୀ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ । ଅନ୍ତେବାସୀଙ୍କୁ ନେଇ ଯୋଗ, ବ୍ୟାୟାମ, ବିଭିନ୍ନ ପ୍ରତିଯୋଗିତା ସହ କରାଯାଉଛି ପନିପରିବା ଚାଷ । ୫ରୁ ୬ ବର୍ଷ ସଜା କାଟି ସାରିଥିବା ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପନିପରିବା ଚାଷ କରାଇଛନ୍ତି ଫୁଲବାଣୀ ଜେଲ୍ କର୍ତ୍ତୃପକ୍ଷ ।

କଏଦୀଙ୍କ ହାତରେ କୋଡି କୋଦାଳ । କଏଦୀଙ୍କ ଶ୍ରମ ଦାନରେ ହସୁଛି ପରିବା ବଗିଚା । କୋଡା ଖୋସା ଠାରୁ ଆରମ୍ଭ କରି ଘାସ ବାଛିବା, ସବୁ କିଛି କରନ୍ତି ଫୁଲବାଣୀ ଜେଲରେ ସଜା କାଟୁଥିବା କଏଦୀ । ଜେଲ ପରିସରର ୨ ଏକର ଜମିରେ ବାଇଗଣ, ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ବିନିସ୍, ଟମାଟୋ, ପିଆଜ, ହଳଦି ଓ ଶାଗ ଚାଷ କରିଛନ୍ତି କଏଦୀ ।

କଏଦୀଙ୍କ ବଗିଚାରୁ ଅମଳ ହେଉଥିବା ପରିବାରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବଳକା ପନିପରିବାକୁ ବଜାରରେ ବିକ୍ରି କରାଯାଉଛି । ଏବଂ ଚାଷ କାମରେ ନିୟୋଜିତ କଏଦୀଙ୍କୁ ମଜୁରୀ ବାବଦକୁ ଦୈନିକ ୪୦ ଟଙ୍କା ଲେଖାଏଁ ଦିଆଯାଉଛି । ଚାଷ କାମ କରାଇବା ସହ କଏଦୀଙ୍କୁ ନେଇ କ୍ୟାରମ୍, ଡ୍ରଇଁ ଓ ବହି ପଢିବା ଭଳି ପ୍ରତିଯୋଗିତା କରାଯାଉଛି । ଚାଷ କାମ ଯୋଗୁଁ ଫୁଲବାଣୀ ଜେଲରେ ବର୍ଷକୁ ୨ରୁ ୩ ଲକ୍ଷ ଅଧିକ ରାଜସ୍ୱ ଆୟ ହେଉଛି ।

ସବୁଠାରୁ ବଡ କଥା ହେଉଛି, ଫୁଲବାଣୀ ଜେଲରେ ଥିବା କଏଦୀଙ୍କୁ ବର୍ଷକୁ ୨ଥରରେ ୩୦ ଦିନ ଛୁଟି ମିଳୁଛି । ସେହି ଛୁଟି ସମୟରେ କଏଦୀମାନେ ଘରକୁ ଯାଉଛନ୍ତି ଏବଂ ଛୁଟି କାଟି ପୁଣି ଜେଲକୁ ଫେରି ଆସୁଛନ୍ତି ।