କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗାଁର ଲିପୁ ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ । ସ୍ନାତକ ଡିଗ୍ରୀ ହାସଲ ପରେ ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଉଦ୍ୟମ କରିଥିଲେ । ଏମିତିକି କାମ କରିବା ପାଇଁ ବାହାର ରାଜ୍ୟ ସୁରଟ ମଧ୍ୟ ଯାଇଥିଲେ । ହେଲେ ଅନ୍ୟ କାହା ଅଧିନରେ ରହି କାମ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ କିଛି କରିବା ପାଇଁ ଚିନ୍ତା କରି ୫ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଛନ୍ତି ତିନି ସାଙ୍ଗ । ବିଶେଷକରି ପରିବା ଚାଷରୁ ସେ ବର୍ଷକୁ ୧୨ରୁ ୧୫ ଲକ୍ଷ ଟଙ୍କା ରୋଜଗାର କରି ବେକାର ଯୁବକ ଓ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Advertisment

ଆଧୁନିକ ପ୍ରଣାଳୀରେ କାକୁଡ଼ି, ଭେଣ୍ଡି, ଜହ୍ନି, ବାଇଗଣ ଭଳି ବିଭିନ୍ନ ପ୍ରକାରର ପରିବା ଚାଷ କରିଛନ୍ତି । ପ୍ରତିଦିନ ଏହି କ୍ଷେତରୁ ପରିବା ସଂଗ୍ରହ କରି ସ୍ଥାନୀୟ ବଜାର ସହ ନୟାଗଡ଼, ରଣପୁର, ଟାଙ୍ଗି ଚାନ୍ଦପୁର ଓ ଖୋର୍ଦ୍ଧା ବଜାରରେ ବିକ୍ରି କରନ୍ତି । ତାଙ୍କ ବାଡ଼ିରୁ ଉତ୍ପାଦନ ହେଉଥିବା ପରିବା ସ୍ଥାନୀୟ ଅଂଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଛି ।

ବଜାରରେ ଏବେ ସବୁଜ ପରିବାର ଦାମ୍ ଆକାଶ ଛୁଆଁ । ଏଭଳି ସମୟରେ ପରିବା ଚାଷ କରି ଲାଭବାନ ହେଉଛନ୍ତି ତିନି ସାଙ୍ଗ । ଯାହା ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।