ଦାଦନ ନୁହେଁ ଚାଷ ପାଲଟିଛି ରୋଜଗାରର ନୂଆ ପନ୍ଥା । ଚିତ୍ରକୋଣ୍ଡାର ସୁବର୍ଣ୍ଣା ପାଲଟିଛନ୍ତି ଅନ୍ୟଙ୍କ ପାଇଁ ପ୍ରେରଣା ।

65

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ସବୁଠୁ ଦୁର୍ଗମ ଓ ମାଓପ୍ରବଣ ଅଂଚଳ । ଏଠାରେ ରହୁଥିବା ୯୦ ପ୍ରତିଶତ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ । ଆଉ ଏମାନେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଧାନ, ମାଣ୍ଡିଆ, ସୁଆଁ ଆଦି ଚାଷ କରନ୍ତି । ଅନ୍ୟ ସମୟରେ ଅନେକ ଲୋକ ଦାଦନ ଖଟିବାକୁ ପଡୋଷୀ ରାଜ୍ୟକୁ ମଧ୍ୟ ଯାଆନ୍ତି । ମାତ୍ର ଏବେ ସ୍ଥିତିରେ ପରିବର୍ତନ ହେଉଛି । ଦାଦନ ଖଟିବା ପରିବର୍ତ୍ତେ ନିଜ ବାଡିରେ ଚାଷ କରି ରୋଜଗାର କରିପାରୁଛନ୍ତି ଏମାନେ ।

ଟମାଟୋ, ଆଳୁ, ପିଆଜ, ଫୁଲକୋବି, ବାଇଗଣଭଳି ପନିପରିବା ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି ସୁବର୍ଣ୍ଣା । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନକ୍ସଲ ପ୍ରବଣ ଅଂଚଳ । ତେଣୁ ଏଠାରେ ନକ୍ସଲଙ୍କ ପ୍ରାଦୁର୍ଭାବ ଯୋଗୁଁ ବିକାଶ କାମରେ ବହୁ ବାଧା ରହିଥାଏ । ମାତ୍ର ଏବେ ସମୟ ବଦଳି ଯାଇଛି । ଏହି ବ୍ଲକର ନୂଆଗୁଡା ପଂଚାୟତର ଆରିଏସସି-୧୧ ଗାଁର ସୁବର୍ଣା ଖରାଙ୍କ ପରିବାର ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ । ପାଠ ନ ପଢିଥିଲେ ବି ଚାଷ କରି ରୋଜଗାରର ମାଧ୍ୟମ ସୃଷ୍ଟି କରିପାରିଛନ୍ତି ସେ । ବଡ କଥା ହେଉଛି ଏହି ସବୁ ପନିପରିବା ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରୁଛନ୍ତି ସୁବର୍ଣା ।

ସୁବର୍ଣାଙ୍କ ପରି ଅନ୍ୟ କିଛି ଜଣ ମଧ୍ୟ ଏହିଭଳି ପନିପରିବା ଚାଷ କରୁଛନ୍ତି । ମାତ୍ର ଏମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଲା ପାଣି । ନିକଟରେ ପାଣିର କୌଣସି ଉତ୍ସ ନଥିବାରୁ ଏମାନେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ସେହିପରି ବିହନ ମିଳୁନଥିବାରୁ ପରିବା ଚାଷରେ ବହୁ କ୍ଷତି ସହୁଥିବା ମଧ୍ୟ କହନ୍ତି । ପ୍ରଶାସନ ତରଫରୁ ଏମାନଙ୍କୁ ପାଣି ଯୋଗାଇବା ସହ ଉନ୍ନତମାନର ବିହନ ଯୋଗାଇ ଦିଆଗଲେ ହୁଏତ ଆଗାମୀ ଦିନରେ ଆହୁରି ଭଲ ଫସଲ ଫଳାଇପାରିଥାନ୍ତେ ବୋଲି ଆଶା ବାନ୍ଧିଛନ୍ତି। ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିବାସୀମାନେ ଧାନ ଚାଷ କରିବା ପରେ ପ୍ରାୟତଃ ଦାଦନ ଖଟିବାକୁ ଚାଲିଯାନ୍ତି। କରୋନା ପରେ କିନ୍ତୁ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଘରେ ରହିବା ପରେ ନିଜ ବାଡିରେ କିଛି କିଛି ପରିବା ଲଗାଇ ଜଣେ ଭଲ ପରିବା ଚାଷୀ ଭାବେ ପରିଗଣିତ ହୋଇପାରିଛନ୍ତି।

ସରକାରଙ୍କ ଅଣଦେଖା ଯୋଗଁ ଆଜି ଜିଲ୍ଲାରେ ବହୁ ଚାଷୀ ନିଜର ଜମିରେ ଫସଲ ଉତ୍ପାଦନ କରିପାରୁନଥିବା ବେଳେ କରୋନା କିନ୍ତୁ ସେମାନଙ୍କୁ ଏହି ବ୍ୟବସାୟ ମୁହାଁ କରାଇପାରିଛି। ଆଗାମୀ ଦିନରେ ସରକାର ଏମାନଙ୍କୁ ଉନ୍ନତ ବିହନ,ପାଣି ଏବଂ ତାଲିମ ପ୍ରଦାନ କଲେ ହୁଏତ ଏମାନେ ବି ଆଗାମୀ ଦିନରେ ଜଣେ ଜଣେ ସଫଳ ପରିବା ଚାଷୀ ହୋଇପାରିଥାନ୍ତେ।