କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।

143

କନକ ବ୍ୟୁରୋ: କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ସେଥିପାଇଁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ନେଇ ଜେଲ ପରିସରକୁ ସବୁଜ ସୁନ୍ଦର କରାଯାଇଛି ।

ବାଲେଶ୍ୱର ଜଳେଶ୍ୱର ଉପ-କାରାଗାରର ସୁନ୍ଦର ପରିବେଶ ଓ ସବୁଜିମାରେ ଭରା ହୋଇ ରହିଛି । ବିଭିନ୍ନ ପ୍ରକାର ଫୁଲ ଗଛ ସାଙ୍ଗକୁ ଆମ୍ବ, ପଣସ, ସେପତା, ଜାମରୁଳି, ଲିଚୁ ପ୍ରଭୃତି ଫଳ ଗଛ ଜେଲର ଶୋଭା ବଢାଉଛି । ଏହାସହ କଏଦୀଙ୍କ ପରିଶ୍ରମରେ ବଗିଚାରେ ଫଳିଛି କଲରା, ବାଇଗଣ, ଟମାଟୋ, କାକୁଡି, କୁନ୍ଦୁରି, କାଙ୍କଡ, ପୋଟଳ ସହ ପାଳଙ୍ଗ, ସୁନୁସୁନିଆ, କଳମ ଶାଗ । କୌଣସି ସାର ଏବଂ କିଟନାଶକ ବ୍ୟବହାର ନକରି କେବଳ ଜୈବିକ ଖତ ପ୍ରୟୋଗ କରି ସୁନ୍ଦର ଚାଷ କରିଛନ୍ତି ଅନ୍ତେବାସୀ ।

ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପଡିଥିବା କଏଦୀଙ୍କୁ ରଖିବା ପାଇଁ ୨୦୧୧ ମାର୍ଚ୍ଚ ୧୧ ଜଳେଶ୍ୱର ଉପକାରାଗାର ନିର୍ମାଣ କରାଯାଇଛି । ସାଢେ ୪ ଏକର ଜମିରେ ଥିବା ଏହି ଜେଲରେ ୮ ଜଣ ମହିଳାଙ୍କ ସମେତ ୯୯ ଜଣ ଅନ୍ତେବାସୀ ରହୁଛନ୍ତି । ଅନ୍ତେବାସୀଙ୍କ ଜୀବନରେ ସୁଧାର ଆଣିବା ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ଉପ କାରାଗାରର ଅଧୀକ୍ଷକ ଅନୁସୟା ଷଡଙ୍ଗୀ । ଏମିତିକି କଏଦୀଙ୍କ ସଂଗୀତ ଶିକ୍ଷା ଦେଉଛନ୍ତି ଅଧୀକ୍ଷକ । କେବଳ ସେତିକି ନୁହେଁ କିଛି ଅନ୍ତେବାସୀ ମାଟିରେ ତିଆରି କରୁଛନ୍ତି ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ମୂର୍ତ୍ତି । ଜଳେଶ୍ୱର ଉପ କାରାଗାରରେ ୨୦୬ ଜଣ କଏଦୀ ରହିବାର କ୍ଷମତା ରହିଛି । ଏବେ ଥିବା ୯୯ ଜଣ କଏଦୀଙ୍କ ମଧ୍ୟରୁ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜା କାଟୁଥିବା ବେଳେ ୯୮ ଜଣ ଏଯାଏଁ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।