ଚୈତ୍ରମାସର ମୁଣ୍ଡଫଟା ଖରାରେ ଜଳିପୋଡି ଯାଉଛି ସୁନାର ଫସଲ । ଉଜୁଡା କ୍ଷେତକୁ ଦେଖି ଚାଷୀ ଆଖିରୁ ଗଡୁଛି ଲୁହ ।

91

କନକ ବ୍ୟୁରୋ: ଚୈତ୍ରମାସର ମୁଣ୍ଡଫଟା ଖରାରେ ଜଳିପୋଡି ଯାଉଛି ସୁନାର ଫସଲ । ଯେଉଁ ପନିପରିବାର ଚାଷୀ ପରିବାରର ପେଟ ପୋଶିଥାନ୍ତା, ସେହି ଫସଲକୁ ଦେଖି ଚାଷୀ ଆଖିରୁ ଲୁହ ଝରୁଛି । ତଅଁଳା ନଦୀ ଦିନେ ୨୨ ମଉଜା ଚାଷୀଙ୍କ ପାଇଁ ଲକ୍ଷ୍ମୀ ସାଆନ୍ତାଣି ପାଲଟିଥିଲା । ଏବେ କିନ୍ତୁ ଅଭିଶପ୍ତ ପାଲଟିଛି । ଶୁଖିଲା ନଦୀ ଏବେ ମେଣ୍ଡାଛେଳୀ ଗୋରୁଗାଈଙ୍କ ଚାରଣଭୁମି ପାଲଟିଛି । ନଦୀ ସୁଖିଲା ପଡିଥିବା ବେଳେ କେନାଲରେ ବି ଟୋପାଏ ପାଣି ନାହିଁ । ସେପଟେ ନଳକୂପରୁ ପାଣି ବାହାରୁନି । ତେଣୁ ଚାଷୀଙ୍କ ଆଶା ମଉଳି ଯାଇଛି, ସ୍ୱପ୍ନ ପୋଡି ଜଳିଯାଉଛି ।

କଟକ ନିଆଳି ବ୍ଲକ ସରାକୂଳ ଗାଁର ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ତଅଁଳା ନଦୀ ପଠାରେ ବିଭିନ୍ନ ପ୍ରକାର ପନିପରିବାର ଚାଷ କରିଛନ୍ତି । ବାଇଗଣ ,ପୋଟଳ ,ଲଙ୍କା, ପୋଇ, କୋବି ,ଟମାଟୋ ଠାରୁ ବିଭିନ୍ନ ଫସଲ କରିଛନ୍ତି । ହେଲେ ନଦୀ ନାଳ ଶୁଖିଲା ପଡିଥିବାରୁ ପାଣି ବିନା ଫସଲ ପୋଡି ପାଉଁଶ ହୋଇଯାଉଛି । ସେପଟେ ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା, ସମସ୍ତ ନିର୍ବାଚନରେ ମାତିଥିବାରୁ ଚାଷୀଙ୍କ କଥା ଶୁଣିବାକୁ କେହି ନଥିବା ଅଭିଯୋଗ ହୋଇଛି ।

ତେବେ ଚାଷୀଙ୍କ କହିବା ଅନୁସାରେ, ତଅଁଳା ନଦୀ ସବୁ ପାଣି ଦେବୀ ନଦୀ ଚାଲିଯାଉଛି । ତେଣୁ ତୁରନ୍ତ ତଅଁଳା ନଦୀରେ ଚେକ ଡ୍ୟାମ ନିର୍ମାଣ କରିବାକୁ ବାରମ୍ବାର ଦାବି ହେଉଛି ।