କନକ ବ୍ୟୁରୋ: ପାଣି ନିସ୍କାସନ ବ୍ୟବସ୍ଥା ନଥିବାରୁ ୧୦୦ ଏକରରୁ ଅଧିକ ଫସଲ ନଷ୍ଟ । ରାଜ୍ୟରେ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି । ବର୍ଷାପାଣି ଚାଷ ଜମିରେ ଜମି ରହିବା ଯୋଗୁଁ ୫ଟି ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ବସ୍ତା ଅଂଚଳରେ ଏଭଳି ସ୍ଥିତି ଦେଖାଦେଇଛି । ୧୦ ଦିନ ହେଲେ ଚାଷ ଜମିରେ ପାଣି ଜମି ରହିଛି । ପଳପଳା ନଦୀ ପୋତି ହୋଇଯିବା କାରଣରୁ ବର୍ଷାଜଳ ନିସ୍କାସନ ହୋଇପାରୁନାହିଁ। ବର୍ତ୍ତମାନ ଚାଷ ବେଉସଣ ସମୟ ହୋଇ ଥିବାତୁ ଚାଷି ବର୍ଷା ହେବାର କିଛି ଦିନ ପୁର୍ବରୁ ତଳି ପକାଇବା ସହିତ ରୁଆ ବେଉସଣ କରିଥିଲେ । ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବର୍ଷା ପାଣି ନିସ୍କାସନ ହୋଇ ନପାରି ଚାଷ ଜମିରେ ଜମି ରହିଥିଲା । ୧୦ ଦିନରୁ ଅଧିକ ସମୟ ଧରି ପାଣି ଜମି ରହିବା ଫଳରେ ସମ୍ପୁର୍ଣ୍ଣ ଚାଷ ନଷ୍ଟ ହୋଇଯାଇଛି ।
ବାଙ୍କୀରେ ମଧ୍ୟ ଅବସ୍ଥା ଶୋଚନୀୟ । ବନ୍ୟା ପାଣିରେ ବୁଡ଼ିଲା ଚାଷୀଙ୍କ ସୁନାର ଫସଲ। ବାଙ୍କୀ ଡମପଡା ବ୍ଲକ ବିଲିପଡ଼ା ପଞ୍ଚାୟତରେ ଥିବା ହେକ୍ଟର ହେକ୍ଟର ପରିବା ଫସଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। କାକୁଡି, ବାଇଗଣ, ପୋଟଳ, ଝୁଡ଼ଙ୍ଗ ଭଳି ପରିବା ଏବେବି ବନ୍ୟା ଜଳରେ ଭାସୁଛି।ସେପଟେ ବନ୍ୟା ଜଳରେ ଫସଲ ଉଜୁଡି ଯାଇଥିବାରୁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ବାଙ୍କୀର ଚାଷୀକୁଳ।