ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ସପରିବାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୀରଭଦ୍ର ସିଂ

ବଖାଣିଲେ ଅତୀତର ସ୍ମୃତି; ମୟୂରଭଂଜ ଆସିବାକୁ କଲେ ନିମନ୍ତ୍ରଣ

1,398

କନକ ବ୍ୟୁରୋ: ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତିଭବନକୁ ଯାଇ ରାମନାଥଙ୍କୁ ସପରିବାର ଭେଟିଥିଲେ ବୀରଭଦ୍ର ସିଂ । ଭେଟିବା ପରେ ଉଭୟେ ଉଭୟଙ୍କ ମଧ୍ୟରେ ଅନୁଭୂତି ବାଂଟିଥିଲେ । ମୟୁରଭଞ୍ଜ ବିକାଶ ନେଇ ବି ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ମୟରୁଭଞ୍ଜ ଆସିବାକୁ ବି ସେ ନିମନ୍ତ୍ରଣ ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ । ବାଣୀବିହାର ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୀରଭଦ୍ର ସିଂଙ୍କୁ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବଲିର ଉଦଜାପନୀ ଉତ୍ସବ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ । ଅ୍ଧମ ମଂଚତଳେ ଦର୍ଶକଙ୍କ ଗହଣରେ ବସି ରାଷ୍ଟ୍ରପତିଙ୍କ ସହ ତାଙ୍କର ପୁରୁଣା ସଂପର୍କକୁ ମନେ ପକାଉଥିଲେ ବୀରଭଦ୍ର ସିଂ । ଠିକ୍ ଏତିକି ବେଳେ ତଥା ମଂଚରୁ ବିଦା ନେବା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନଜର ପଡିଥିଲା ତାଙ୍କର ଏହି ପୁରୁଣା ମିତ୍ରଙ୍କ ଉପରେ । ତେଣୁ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଡାକି ତାଙ୍କ ବାବଦରେ କିଛି ପଚାରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କହିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଇକରେ ଘୋଷଣା କରିଥିଲେ ଯେ ବୀରଭଦ୍ର ବାବୁ ଆପଣଙ୍କୁ ଦେଖା କରିବାକୁ ରାଷ୍ଟ୍ରପତି ଚାହୁଁଛନ୍ତି ବୋଲି । ପରବର୍ତ୍ତୀ ସମୟରେ ସେ ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ  ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୀରଭଦ୍ର ସିଂଙ୍କୁ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ ।