୩୬ ଲକ୍ଷ ଟଙ୍କାର ଠକେଇ କାହାଣୀ । ଯେବେ ଆମାଜନ ଆଉ ପ୍ଲିପକାର୍ଟକୁ ଚୂନ ଲଗାଇ ଠକିଥଲା ଜଣେ କମ୍ପ୍ୟୁଟର ମେକାନିକ ।

2,927

କନକ ବ୍ୟୁରୋ: ଆପଣ ପ୍ରତିଦିନ ଅନେକ ଠକଙ୍କ କଳା କାରନାମାର କାହାଣୀ ଶୁଣୁଥିବେ ଆଉ ଦେଖୁଥିବେ । ଲୋକଙ୍କୁ ଚୂନ ଲଗେଇ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା କଥା ଏବେ ଗଣମାଧ୍ୟମର ଚର୍ଚ୍ଚାରେ । ହେଲେ ଦେଶର ଦୁଇଟି ବଡ ଇ-କର୍ମସ କମ୍ପାନି ଫ୍ଲିପକାର୍ଟ ଆଉ ଆମାଜନ ଦିନେ ଏମିତି ଜଣେ ଠକର ସାମ୍ନା କରିଥିଲା ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା । ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଦେଶର ଏହି ଦୁଇଟି ବଡ ଇ-କର୍ମସ କମ୍ପାନିକୁ ୩୬ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ।

ଭୀରା ରେଡ୍ଡି ହେଉଛି ସେଇ ନାଁ, ଯିଏ ଆମାଜନ ଆଉ ଫ୍ଲିପକାର୍ଟକୁ ଭୂଆଁ ବୁଲେଇ ତାକୁ ଠକିବାରେ ସଫଳ ହୋଇଥିଲା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ପାଖାପାଖି ୩୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଠକେଇ କରିଥିଲା ଏହି ଠକ । ନିଜ ଚାଲାକି ପଣକୁ ଦେଖାଇ ଏହି ଯୁବକ ଦୁଇ କମ୍ପାନିର ଦୁର୍ବଳତା ବାହାର କରିଥିଲା ଆଉ ତାଙ୍କୁ ଠକିବାରେ ଲାଗିପଡିଥିଲା ।

ଭୀରା ରେଡ୍ଡି ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ଯୁବକ । ଯିଏକି ବୃତିରେ ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଥିଲା । ହେଲେ ତା ସାତିର ଦିମାଗକୁ ଲଗାଇ ସେ ଆରମ୍ଭ କରିଥିଲା ଏକ ବଡ ଚାଲ୍ । ଭୀରା ରେଡି ଫ୍ଲିପକାର୍ଟ କମ୍ପାନିରୁ ଅନେକ ବିଦ୍ୟୁତ ଉପକରଣ ଅର୍ଡର କରିଥିଲା । ଆଉ ଅର୍ଡର ପାଇବା ପରେ ତା ଭିତରୁ ଅନେକ ମୂଲବାନ ଜିନିଷ କାଢି ତାକୁ ବିକ୍ରି କରିଦେଉଥିଲା । ପରେ ଫ୍ଲିପକାର୍ଟର ରିଟଣ୍ଣ ପଲିସି ଜରିଆରେ ସେ ଜିନିଷରେ ଖରାପ ଥିବା ଦେଖାଇ ଏହାକୁ ପୁଣି କମ୍ପାନିକୁ ରିଟଣ୍ଣ କରିଦେଉଥିଲା । ଯେଉଁଥିରେ ସେ ମାଲାମାଲ୍ ହେବା ସହିତ କମ୍ପାନିକୁ ଚୂନ ଲଗାଉଥିଲା । ତେବେ ଏଥିପାଇଁ ସେ ନିଜ ଚାଲାକି ପଣକୁ ହିଁ ବ୍ୟବହାର କରୁଥିଲା । ସେ ପାଖାପାଖି ୧୨୦ଟି ସିମକୁ ବ୍ୟବହାର କରି ଜିନିଷ ଅର୍ଡର କରୁଥିଲା । ଆଉ ପ୍ରତିଥର ଭୁଲ ଆଡ୍ରେସ ଦେଇ ଅର୍ଡର ପିକଅପ୍ କରୁଥିଲା । ତେଣୁ କମ୍ପାନି ଭୀରା ରେଡ୍ଡିର ଏହି ଠକାମିକୁ ଧରି ପାରୁନଥିଲା ।

ଫ୍ଲିପକାର୍ଟକୁ ପାଖାପାଖି ୨୦ ଲକ୍ଷ ଟଙ୍କାର ଚୂନ ଲଗାଇବା ପରେ ଭୀରା ରେଡ୍ଡି ଆମାଜନ ଆଡକୁ ନଜର ପକାଇଥିଲା । ଫ୍ଲିପକାର୍ଟକୁ ଠକିବା ଭଳି ଠିକ୍ ସେହି ଉପାୟରେ ସେ ଆମାଜନରୁ ଜିନିଷ ଅର୍ଡର କରିଥିଲା ଆଉ ତା ଭିତରୁ ବିଭିନ୍ନ ଯନ୍ତ୍ରକୁ କାଢି ତାକୁ ପୁଣି ରିଟଣ୍ଣ କରିଦେଉଥିଲା । ଏହିଭଳି ଭାବେ ସେ ଆମାଜନରୁୁ ପାଖାପାଖି ୧୬ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିଲା ।
ଏ ଭିତରେ ଫ୍ଲିପକାର୍ଟ କମ୍ପାନି ତାର ବିଭିନ୍ନ ରିଟଣ୍ଣର କାରଣ ଖୋଜି ପାଇବା ପାଇଁ ଏକ ଡାଟାବେସ ପ୍ରସ୍ତୁତ କରିସାରିଥିଲା । ଯେଉଁଥିରେ କମ୍ପାନିକୁ କିଛି ଗଡବଡ ଥିଲାଭଲି ଲାଗିଥିଲା । ଏହା ପଛର ଗୁମର ଖୋଜିବା ପାଇଁ ଫ୍ଲିପକାର୍ଟ ଏକ ସ୍ପେଶାଲ ଟିମ୍ ଗଠନ କରିବା ସହିତ ପୋଲିସକୁ ବି ଏହାର ସୂଚନା ଦେଇଥିଲା । ଆଉ ତା ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ଭୀରା ରେଡ୍ଡିର ଏହି ଠକାମି । ପୋଲିସ ତାକୁ ଏହି ଘଟଣାରେ ଗିରଫ କରିବା ସହିତ ତା ପାଖରୁ ସେହି ୧୨୦ଟି ସିମକୁ ଜବତ କରିଥିଲା । ଆଉ ସେତେବେଳେ ପୋଲିସ ତା ପାଖରୁ ପାଖାପାଖି ୪୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଯାହାକୁ ସେ ବିଭିନ୍ନ କମ୍ପାନିକୁ ଚୂନ ଲଗାଇ ରୋଜଗାର କରିଥିଲା ।

ଭୀରା ରେଡ୍ଡି କେବଳ ଏକା ନୁହେଁ, ତା ପୂରା ପରିବାର ଏହି ଠକାମି କାମରେ ଲାଗିପଡିଥିଲା । ହେଲେ ପୋଲିସ କେବଳ ଏହି ଘଟଣାରେ ଭୀରା ରେଡ୍ଡି କୁ ହିଁ ଗିରଫ କରିପାରିଥିଲା । ଏବେ ବି ତା ପରିବାର ଏହି ଘଟଣାରେ ଫେରାର୍ ଥିବାବେଳେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇନି ।