ପଶ୍ଚିମ ଓଡ଼ିଶାର ଅନ୍ୟତମ ଶୈବପୀଠ ହେଉଛି ବେଦବ୍ୟାସ ଧାମ: ପାତାଳି ଭାବେ ଉଭା ହୋଇଛନ୍ତି ବାଲୁଙ୍କେଶ୍ୱର ମହାଦେବ

91

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଅନ୍ୟତମ ଶୈବପୀଠ ହେଉଛି ବେଦବ୍ୟାସ ଧାମ । ରାଉରକେଲ ଉପକଣ୍ଠରେ ଥିବା ଏହି ଶ÷ବପୀଠକୁ ପବିତ୍ର ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ ବିବେଚନା କରାଯାଏ । ଏଠାରେ ପାତାଳି ଭାବେ ଉଭା ହୋଇ ବାଲୁଙ୍କେଶ୍ୱର ମହାଦେବ ପୂଜା ପାଉଥିବା ବେଳେ ଚନ୍ଦ୍ର ଶେଖର ମହାଦେବଙ୍କ ଭବ୍ୟ ମନ୍ଦିର ମଧ୍ୟ ରହିଛି । ବେଦବ୍ୟାସ ଧାମ ପ୍ରମୁଖ ଶୈବପୀଠ ଭାବେ ଯେତିକି ପ୍ରସିଦ୍ଧ, ଏଠାରେ ଥିବା ବେଦବ୍ୟାସ ଗୁମ୍ଫା ଐତିହାସିକ, ଧାର୍ମିକ ଓ ପୌରାଣିକ ପୃଷ୍ଠଭୂମି ଦୃଷ୍ଟିରୁ ସେତି ଚର୍ଚ୍ଚିତ । ମହିର୍ଷି ବ୍ୟାସଦେବ ଏଠାରେ ଅବସ୍ଥାନ କରି ତପସ୍ୟା କରିଥିବା ଏବଂ ମହାଭାରତ ଓ ବେଦ ସଙ୍କନ କରିଥିବା କୁହାଯାଏ । ଏହି ଗୁମ୍ଫାରେ ଏବେ ବି ବ୍ୟାସମୁନିଙ୍କ ଆସ୍ଥାନ ଓ କଠାଉ ପୂଜା ପାଉଛି । ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳୀରେ ଏହି ଶୈବପୀଠ ଥିବାରୁ ବେଦବ୍ୟାସ ଧାମ ପବିତ୍ର ତ୍ରିବେଣୀ ସଙ୍ଗମ ଭବେ ପରିଚିତ ।

କିମ୍ବଦନ୍ତୀ ଅନୁଯାୟୀ ମର୍ହି ପରାଶର ଓ ମତ୍ସଗନ୍ଧାଙ୍କ ପୁତ୍ର ବ୍ୟାସମୁନି ଏହି ଗୁମ୍ଫାରେ ତପସ୍ୟାମଗ୍ନ ରହି ବେଦ ପୁରାଣ ଆଦି ସଙ୍କଳନ କରିବା ସହ ମହାଭାରତ ରଚନା କରିଥିଲେ । ଏହି ପବିତ୍ର ପୀଠରେ ମାତା ସରସ୍ୱତୀ, ଶ୍ରୀହନୁମାନ ଓ ପ୍ରଭୁ ରାମଚନ୍ଦ୍ରଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀ ମଧ୍ୟ ନୂଜା ପାଇଥାନ୍ତି । ବେଦବ୍ୟାସ ପୀଠର ଅନ୍ୟ ଏକ ଆକର୍ଷଣ ହେଲା ଏଠାରେ ବର୍ଷସାରେ ୩୬୫ ଦିନ ଓ ୨୪ ଘଂଟା ଜାରି ରହିଥାଏ ଅଖଣ୍ଡ ନାମ କୀତନ । ପାହାଡ଼ ଉପରେ ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶ ଏବଂ ତ୍ରିବେଣୀ ସଙ୍ଗମର ଉତ୍ପତି ସ୍ଥଳରେ ରହିଥିବା ବେଦବ୍ୟାସ ଧାମ କେବଳ ଓଡ଼ିଶା କିମ୍ବା ପଡ଼ୋଶୀ ରାଜ୍ୟ ନୁହେଁ ବରଂ ଦେଶର କୋଣ ଅନୁକୋଣର ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ।