ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ପ୍ରକଳ୍ପ ପାଇଁ ଦିଆଯିବ ନାହିଁ ବିକଳ୍ପ ଜମି

37

କନକ ବ୍ୟୁରୋ: ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ କଡା ଆଭିମୁଖ୍ୟ ରଖିଲେ ରାଜ୍ୟ ସରକାର । ପ୍ରକଳ୍ପ ପାଇଁ ବିକଳ୍ପ ଜମି ଦିଆଯିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ଜମି ଅଧିଗ୍ରହଣ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ପ୍ରକଳ୍ପ କାମ ଆଗେଇବେ କି ନାହିଁ, ସେ ସଂପର୍କରେ ବେଦାନ୍ତ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ କୌଣସି ମତାମତ ଦେଇ ନାହାନ୍ତି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବେଦାନ୍ତ ବିଶ୍ୱବିଦ୍ୟାଳୟର ସଭାପତି ପଦରୁ ଇସ୍ତଫା ଦେବା ପରେ ଓଡିଶାରେ ଏହି ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ନେଇ ସନ୍ଦେହ ଦେଖାଦେଇଛି । କାରଣ ବେଦାନ୍ତ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ କାମ ଆଗଉ ନଥିବା ଘଟଣାରୁ ଅସନ୍ତୋଷ ପ୍ରକାଶ କରିଥିଲେ ବିଜୟ ପଟ୍ଟନାୟକ ।

ତେବେ ବିଜୟଙ୍କ ସ୍ଥାନରେ ବେଦାନ୍ତ କାହାକୁ ନିଯୁକ୍ତି ଦେବ, ସେ ସଂପର୍କରେ ବି କୌଣସି ସ୍ପଷ୍ଟ ଚିତ୍ର ଦେଇ ନଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଯଦି ବେଦାନ୍ତ ପ୍ରକଳ୍ପରୁ ଓହରି ଯାଏ, ତେବେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ସହ ଆଲୋଚନା କରି ବାଟ ବାହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।