ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇଥିବା ଜମି ପ୍ରତି ମୋହ

535

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ନାଁରେ ଯେଉଁ ଚାଷ ଜମି ନେଇଛି ବେଦାନ୍ତ, ତାକୁ ଛାଡିବାକୁ ସହମତି ପ୍ରକାଶ କରିପାରୁନାହାନ୍ତି କମ୍ପାନୀର ମାଲିକ ଅନୀଲ ଅଗ୍ରୱାଲ । ଏହି ପ୍ରସଙ୍ଗରେ ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହାପରେ ଚାଷ ଜମି ଚାଷୀ କେବେ ଫେରିପାଇବେ ସେ ନେଇ ପ୍ରଶ୍ନ ଉଠିଛି । ବିରୋଧୀ ଏହାକୁ ନେଇ ବାରମ୍ବାରଙ୍କ ଜବାବ ଲୋଡୁଛନ୍ତି । ଏହାରି ଭିତରେ ବେଦାନ୍ତର ମାଲିକ ଅନୀଲ ଅଗ୍ରୱାଲଙ୍କ ଏକ ଟ୍ୱିଟ୍ ପୋଷ୍ଟ ଚର୍ଚ୍ଚାକୁ ବଢାଇଛି ।

ବିଦେଶରେ ଭାରତୀୟ ମାନେ ପାଠ ପଢିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ନିକଟରେ ଏକ ରିପୋର୍ଟ ଏନେଇ ପ୍ରକାଶ ପାଇଥିଲା । ଏହାକୁ ଆଧାର କରି ବେଦାନ୍ତ କଂପାନୀର ମାଲିକ ଅନୀଲ ଅଗ୍ରୱାଲ ଏକ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ । ଯେଉଁଥିରେ ସେ ପୁରୀରେ କଳ୍ପନା କରିଥିବା ବେଦାନ୍ତ ବିଶ୍ୱବିଦ୍ୟାଳୟ କଥା କହିଛନ୍ତି । ଯାହାକୁ ସେ ବିଶ୍ୱର ଅନ୍ୟତମ ବିଶ୍ୱବିଦ୍ୟାଳୟ ହାୱାର୍ଡ ଭଳି ତିଆରି କରିବାକୁ ସ୍ୱପ୍ନ ଦେଖିଥିବା କଥା କହିଛନ୍ତି । ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବାକୁ ନିଷ୍ପତି ନେଇଥିବା ବେଳେ ସେ ନିଜେ ବଜାର ଦରରେ ଜମି କିଣିବାକୁ ଇଚ୍ଛା ରଖିଥିଲେ ବୋଲି କହିଛନ୍ତି । ହେଲେ କିଛି ଏନଜିଓ କମ୍ପାନୀ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ନେଇଥିଲେ ବୋଲି କହିଛନ୍ତି । କିନ୍ତୁ ଏବେ ବି ଏହି ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଟ୍ୱିଟରେ ଲେଖିଛନ୍ତି । ଯାହା ପୁଣିଥରେ ଜମି ପ୍ରସଙ୍ଗକୁ ଚର୍ଚ୍ଚାକୁ ବଢାଇଛି ।