ତେଲ ଉପରୁ ଭାଟ୍ କମାଇଲେ ଗୁଜୁରାଟ ଓ ମହାରାଷ୍ଟ୍ର : ଶସ୍ତା ହେଲା ପେଟ୍ରୋଲ ଓ ଡ଼ିଜେଲ

22

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଆହ୍ୱାନକ୍ରମେ ଗୁଜରାଟ ଓ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ କମାଇବା ପରେ ଏବେ ଓଡ଼ିଶାରେ ଏଭଳି ହେବ କି ନାହିଁ ପ୍ରଶ୍ନ ଉଠିଛି । ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ କମ୍ ଅର୍ଥାତ୍ ୨୬ ପ୍ରତିଶତ ଭାଟ୍ ଆଦାୟ କରୁଥିବାରୁ ଭ୍ୟାଟ୍ କମାଇବା ଉଚିତ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି । ତେବେ ପେଟ୍ରୋଲ୍ ଓ ଡିଜେଲକୁ ଭ୍ୟାଟ୍ ପରିସରକୁ ଆଣିବା ପାଇଁ ଏପର୍ଯ୍ୟନ୍ତ ଜିଏସଟି କାଉନସିଲରେ ମଧ୍ୟ ଚର୍ଚ୍ଚା ହୋଇନାହିଁ ବୋଲି ସେ କହିଛନ୍ତି ।

ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭ୍ୟାଟ୍ କମାଇଲା ଗୁଜରାଟ । ଗୁଜରାଟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ ଭାଟ୍ ବା ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ କମାଇଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ପେଟ୍ରୋଲ ଉପରୁ ୨ ଟଙ୍କା ଓ ଡିଜେଲ ଉପରୁ ୧ ଟଙ୍କା ଭାଟ୍ କମାଇଛନ୍ତି । ନିକଟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଓ ଡିଜେଲ୍ ଉପରୁ ୨ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ରାଜ୍ୟଗୁଡ଼ିକ ଭ୍ୟାଟ୍ କମାନ୍ତୁ ବୋଲି ଆହ୍ୱାନ କରିଥିଲେ ।

ଅନ୍ୟପଟରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ୫୬ ପ୍ରତିଶତ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟଗୁଡ଼ିକ ୨୬ରୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ଭ୍ୟାଟ୍ ଆଦାୟ କରୁଛନ୍ତି । ଏହାକୁ ଜିଏସଟି ପରିସରକୁ ଆଣିଲେ ତାହା ସର୍ବାଧିକ ୨୮ ପ୍ରତିଶତ ଭିତରେ ରହିପାରନ୍ତା ଓ ଖାଉଟିମାନଙ୍କ ଉପରେ ଟିକସ ବୋଝ କମନ୍ତା ବୋଲି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ପୂର୍ବରୁ ଅନେକ ଥର କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ବା ଉତ୍ପାଦନ ଶୁଳ୍କ କମାଇଲା ବେଳେ ରାଜ୍ୟ ଭାଟ୍ କମାଇବାର ନଜିର ରହିଛି । ତେଣୁ ରାଜ୍ୟ ସରକାର ଭାଟ୍ ଛାଡ଼ନ୍ତୁ ବୋଲି ବିରୋଧୀ ଦଳ କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ପେଟ୍ରୋଲ ଓ ଡିଜେଲ୍ ଉପରେ ଯେଭଳି ଚଢ଼ା ଟିକସ ନେଉଛନ୍ତି ସେ ନେଇ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ଉଭୟ ସରକାର ଏହାକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହେଉଛି ।