କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସକୁ ପରାଜିତ କରି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ବିଜେପିର ବଡ ଚେହେରା ବସୁନ୍ଧରାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ତାଙ୍କ ସହ ସାଂସଦରୁ ବିଧାୟକ ହୋଇଥିବା ବାବା ବାଲକନାଥଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି । ଏହାରି ମଧ୍ୟରେ ବସୁନ୍ଧରା ରାଜେ ସିନ୍ଧିଆ ଦିଲ୍ଲୀ ଆସି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ସେପଟେ ଜଣେ ବିଜେପି ବିଧାୟକଙ୍କ ବାପା ବସୁନ୍ଧରା ରାଜେ ସିନ୍ଧିଆଙ୍କ ପୁଅଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

Advertisment

ବିଜେପି ବିଧାୟକ ଲଳିତ ମୀଣାଙ୍କ ବାପା ତଥା ପୂର୍ବତନ ବିଧାୟକ ହେମରାଜ ମୀଣା ଅଭିଯୋଗ କରିଛନ୍ତି କି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଓ ସାଂସଦ ଦୁଷ୍ୟନ୍ତ ସିଂ ବିଧାୟକମାନଙ୍କୁ ଏକ ହୋଟେଲ ରଖିଛନ୍ତି । ହେମରାଜ ମୀଣା ଦାବି କରିଛନ୍ତି କି ହୋଟେଲରେ ରଖାଯାଇଥିବା ବିଧାୟକମାନଙ୍କ ମଧ୍ୟରେ ତାଙ୍କ ପୁଅ ରହିଛନ୍ତି । ସେ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ବିଧାୟକ କୱଁରଲାଲ ତାଙ୍କୁ ଅପମାନିତ କରିବା ସହ ଦୁଷ୍ୟନ୍ତ ସିଂ ନ କହିଲେ ତାଙ୍କ ବିଧାୟକ ପୁଅକୁ ଛଡାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।