ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା ।

ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା ।

କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବହୁମତ ହାସଲ କରିଥିଲେ ମଧ୍ୟ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିନି ଦଳ । କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏଯାଏଁ ସସପେନ୍ସ ଲାଗି ରହିଛି । ଏସବୁ ଭିତରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗ ଦେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ନିଜର ଦାବି ବସୁନ୍ଧରା ରାଜେ ରଖିଥିବା ସୂଚନା ମିଳୁଛି । ବର୍ଷେ ମୁଖ୍ୟମନ୍ତ୍ରୀ ରହିବା ପରେ ଏହି ପଦ ଛାଡିଦେବେ ବୋଲି ବସୁନ୍ଧରା କହିଥିବା ସୂଚନା ମିଳୁଛି । କିନ୍ତୁ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପଦବୀରେ ବସିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିନଥିବା ବିଭିନ୍ନ ସୂତ୍ରରୁ ଖବର ସାମ୍ନାକୁ ଆସିଛି ।

ଗତକାଲି ରାତିରେ ବସୁନ୍ଧରା ରାଜେ ସିନ୍ଧିଆ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିବେଦନ କରିଥିଲେ । ଏହାସହ ବିଧାୟକଙ୍କୁ ଅଲଗା ନ ଭେଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ନଡ୍ଡାଙ୍କ ପକ୍ଷରୁ ତାଙ୍କୁ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଅଗ୍ରାହ୍ୟ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଆସନ୍ତାକାଲି ରାଜସ୍ଥାନର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଦଳୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହେବ । ଏହି ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ ।ବିଧାୟକଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ଦଳର ଶୀର୍ଷ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ରିପୋର୍ଟ ଆଧାରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ଘୂରି ବୁଲୁଛି । ଅନ୍ୟପଟେ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ବିଜୟୀ ବିଧାୟକ ମାନେ ଭେଟିବା କେନ୍ଦ୍ରୀୟ ନେତୃତ୍ୱଙ୍କ ଚିନ୍ତା ବଢାଇ ଦେଇଛି । ବସୁନ୍ଧରା ଯଦି ଅସନ୍ତୁଷ୍ଟ ହୁଅନ୍ତି ତେବେ ଏହାର ପ୍ରଭାବ ଆସନ୍ତା ୨୦୨୪ ନିର୍ବାଚନ ଉପରେ ପଡିବ । ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜସ୍ଥାନ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେ ସହଜ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe