କନକ ବ୍ୟୁରୋ: ଭାରତୀୟ ଜନତା ଦଳ ନିଜର କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିସାରିଛି । ଏହି ତାଲିକାରେ ୧୩ ଉପାଧ୍ୟକ୍ଷ ସ୍ଥାନ ପାଇଛନ୍ତି । ନୂଆ ତାଲିକାରେ ୩ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ମଧ୍ୟପ୍ରଦେଶର ବଡ ନେତା କୈଳାଶ ବିଜୟବର୍ଗୀୟଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କରାଯାଇଛି । ଅର୍ଥାତ ସ୍ପଷ୍ଟ ସୂଚନା ମିଳିଛି ଯେ ୨୦୨୪ ଲୋକସଭା ନିର୍ବାତନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ମଧ୍ୟ ଧ୍ୟାନ ଦିଆଯାଇଛି ।

Advertisment

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବ । ୨୦୧୮ରେ ଏହି ତିନି ରାଜ୍ୟରେ ବିଜେପିକୁ ବିଫଳତା ମିଳିଥିଲା । ପରାଜୟ ପରେ ତିନି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ସଂଗଠନରେ ସ୍ଥାନ ଦିଆଯାଇ ଉପାଧ୍ୟକ୍ଷ କରାଯାଇଥିଲା । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ ପୁଣିଥରେ ଶିବରାଜ ସରକାର ହୋଇଥିଲା । ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଉପାଧ୍ୟକ୍ଷ ପଦରୁ ହଟାଇ ରଘୁବର ଦାସଙ୍କୁ ଉପାଧ୍ୟକ୍ଷ କରାଯାଇଥିଲା ।

ବର୍ତ୍ତମାନ ପୁଣିଥରେ ଏହି ତିନି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଦଳ ଛତିଶଗଡ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ପଦରୁ ହଟାଇନାହିଁ । ଏହି ସମସ୍ତ ରାଜ୍ୟରେ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେହେରା କରାଯାଇ ନିର୍ବାଚନ ଲଢାଯିବ । ଏହିଭଳି କରିବା ଦ୍ୱାରା ତାଙ୍କର ଲୋକପ୍ରିୟତାର ଫାଇଦା ଦଳକୁ ମିଳିବ ଏବଂ ଦଳ ଭିତରେ କୌଣସି ପ୍ରକାରର ଗୋଷ୍ଠୀକନ୍ଦଳର ନିର୍ବାଚନ ପୂର୍ବରୁ ରୋକାଯାଇପାରିବ ।