ମଦରେ ଭାସିଲା ଗାଁ ଦାଣ୍ଡ : କଟକର ଆଠଗଡ ଅଂଚଳରେ ଅବକାରୀ ବିଭାଗ ଓ ପ୍ରଶାସନର ମିଳିତ ରେଡ୍; ହଜାର ହଜାର ଲିଟର ମଦ ଓ ପୋଚ ନଷ୍ଟ

180

କନକ ବ୍ୟୁରୋ : ମଦରେ ଭାସିଲା ଗାଁ ଦାଣ୍ଡ । ହଜାର ହଜାର ଲିଟର ମଦ ଏବଂ ମଦ ପୋଚ ନଷ୍ଟ କଲା ଅବକାରୀ ବିଭାଗ । ମଦର ପରିମାଣ ଏତେ ରହିଥିଲା ଯେ ଗାଁ ଦାଣ୍ଡରେ ବର୍ଷା ପାଣି ଭଳି ଏହା ଭୁସୁଥିବାର ଦେଖିବାକୁ ମିଳିଛି । ଏଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ଼ ଅଂଚଳ କରୋଙ୍ଗା ଗାଁ । ଗାଁରେ ଖୁଲମଖୁଲା ଭେବେ ବେଆଇନରେ ଦେଶୀ ମଦ ରନ୍ଧା ହୋଇ ବିକ୍ରି କରାଯାଉଥିଲା । ଏନେଇ ଖବର ପାଇ କଟକ ଜିଲ୍ଳା ପ୍ରଶାସନ ଏବଂ ଅବକାରୀ ବିଭାଗ ମିଳିତ ଚଢଉ କରି ବିପୁଳ ପରିମାଣର ମଦ ଜବତ କରି ନଷ୍ଟ କରିଛନ୍ତି । କିଛି ଦିନ ତଳେ ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ କରିଥିଲା ପ୍ରଶାସନ ।

କିନ୍ତୁ ଦିନ କେଇଟା ପରେ ପୁଣି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ବେଆଇନ ମଦ କାରବାର ଯୋଗୁଁ ଲୋକଙ୍କୁ କମ୍ ଦାମରେ ହାତ ପାହାନ୍ତାରେ ଦେଶୀ ମଦ ଉପଲବ୍ଧ ହେଉଛି । ସ୍ଥାନୀୟ ଲୋକେ ଏହାକୁ ପିଇ ବିଭିନ୍ନ ଅସାମାଜିକ କାମରେ ଲିପ୍ତ ରହୁଛନ୍ତି । ଏଥିପାଇଁ ମଧ୍ୟ ଚୋରୀ ଡ଼କାୟତି ବୃଦ୍ଧି ମଧ୍ୟ ପାଉଛି । ତେଣୁ ଏହି ମଦ ଭାଟି ଏବଂ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ ।