ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଏମଏସପି ହେଉ ଆଇନ ସିଦ୍ଧ, ସହିଦ କୃଷକଙ୍କୁ ମିଳୁ ୧ କୋଟି ଟଙ୍କାର ସହାୟତା

129

କନକ ବ୍ୟୁରୋ : ଦଳ ଭିତରେ ରହି ଦଳୀୟ ନେତା ଓ ଦଳର ନିଷ୍ପତ୍ତିକୁ ବାରମ୍ବାର ବିରୋଧ କରିବାର ସତ ସାହସ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ପ୍ରଥମରୁ କେନ୍ଦ୍ର ସରକାଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଗଣମାଧ୍ୟମରେ ବୟାନ ଦେବା ସହ ଏବେ ପୁଣି ସେହି ମାମଲାରେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥର ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଲଖିପୁର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଉଚିତ ଦଣ୍ଡ ଓ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିସ୍କାର ଦାବି କରିବା ସହ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି    । କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଦାବି କରିଛନ୍ତି କି ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା କୃଷକଙ୍କୁ ସରକାର ସହିଦର ମାନ୍ୟତା ଦେବା ସହ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରନ୍ତୁ । ଅନ୍ୟପଟେ ଆନ୍ଦୋଳନ ବେଳେ ସରକାରଙ୍କ ତରଫରୁ କୃଷକମାନଙ୍କ ଉପରେ କରିଥିବା ମାମଲାର ତୁରନ୍ତ ଖାରଜ କରିବାକୁ ସେ ଦାବି କରିଛନ୍ତି ।

କହିରଖୁ କି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସଂସଦରେ ପାରିତ ହୋଇଥିବା ଏହି ଆଇନକୁ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଦେଶର କୃଷକମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ହେଲେ କୃଷକମାନଙ୍କ ଆନ୍ଦୋଳନର ମୂଖ୍ୟ ମୁଦ୍ଦା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଉପରେ ପ୍ରଧାନମନ୍ତ୍ରୀ କିଛି ମତ ରଖିନଥିବାରୁ ଆନ୍ଦୋଳନ ଜାରୀ ରହିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ।

ଏନେଇ ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି “ମୋର ବିନମ୍ର ଅନୁରୋଧ ଏମଏସପି କୁ ଆଇନ ସିଦ୍ଧ କରିବା ଓ କୃଷକଙ୍କ ଅନ୍ୟାନ୍ୟ ଦାବି ଉପରେ ତକ୍ରାଳ ନିଷ୍ପତ୍ତି ହେବା ଦରକାର, ଯାହାଦ୍ୱାରା କୃଷକଭାଇମାନେ ଆନ୍ଦୋଳନ ସମାପ୍ତ କରି ଘରକୁ ଫେରିଯିବେ”