କନକ ବ୍ୟୁରୋ : ଭାରତରେ ଓମିକ୍ରନ କାୟା ବିସ୍ତାର କରୁଥିବା ବେଳେ ବିଭିନ୍ନ ରାଜ୍ୟ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି । କେଉଁଠି ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି ତ ପୁଣି କେଉଁଠି ଅଧିକ ଭିଡ଼ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଯେହେତୁ ଓମିକ୍ରନ ଅତି ଦ୍ରୁତ ବେଗରେ ସଂକ୍ରମିତ କରୁଛି ତେଣୁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏହି କଟକଣା ଯେପରି କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । କାରଣ ବିଭିନ୍ନ ରାଜନୈତିକ ସଭାରେ ଏବେ ବି ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହେଉଛନ୍ତି । କିନ୍ତୁ ଏଥିପ୍ରତି ଯେପରି କାହାର ନିଘା ନାହିଁ । ଆଉ ଏହି କରୋନା କଟକଣାର ଖୋଲାଖୋଲି ଉଲ୍ଲଂଘନ ଉତ୍ତରପ୍ରଦେଶରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।
ଟ୍ୱିଟ୍ କରି ବରୁଣ କହିଛନ୍ତି, ଓମିକ୍ରନର ମୁକାବିଲା ପାଇଁ ରାତିରେ କର୍ଫ୍ୟୁ ଲଗାଇବା ଓ ଦିନରେ ହଜାର ହଜାର ଲୋକଙ୍କୁ ଏକାଠି କରି ରାଲି କରିବା । ଏହାର ବାସ୍ତବ ଅର୍ଥ କଣ ବୁଝାପଡୁନି । ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ପଡିବ କି ଆମର ପ୍ରାଥମିକତା କଣ? ଭୟାବହ ଓମିକ୍ରନର ମୁକାବିଲା କରିବା ନା ନିର୍ବାଚନ ରାଲିରେ ଶକ୍ତି ପ୍ରଦର୍ଶନ କରିବା ।
रात में कर्फ्यू लगाना और दिन में रैलियों में लाखों लोगों को बुलाना – यह सामान्य जनमानस की समझ से परे है।
उत्तर प्रदेश की सीमित स्वास्थ्य व्यवस्थाओं के मद्देनजर हमें इमानदारी से यह तय करना पड़ेगा कि हमारी प्राथमिकता भयावह ओमीक्रोन के प्रसार को रोकना है अथवा चुनावी शक्ति प्रदर्शन।
— Varun Gandhi (@varungandhi80) December 27, 2021
ଦେଶରେ ଓମିକ୍ରନ ସଂକ୍ରମଣ ମାମଲା ବଢିବା ପରେ ଉତ୍ତରପ୍ରଦେଶରେ ଶନିବାର ରାତି ଠାରୁ ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଲୋକଙ୍କୁ ବିନା କାରଣରେ ବାହାରେ ବୁଲିବା ଉପରେ କଟକଣା ଲାଗିଛି । ଏହାବାଦ୍ ବାହାଘର, ବ୍ରତଘର ଭଳି ଉତ୍ସବରେ ଅତିଥିଙ୍କ ସଂଖ୍ୟାକୁ ୨୦୦ ଭିତରେ ସୀମିତ ରଖିବାକୁ କୁହାଯାଇଛି । କିନ୍ତୁ ଅନ୍ୟପଟେ ସକାଳ ହେବା କ୍ଷଣି ରାଜନୈତିକ ଦଳ ଗୁଡିକ ହଜାର ହଜାର ଲୋକଙ୍କୁ ନେଇ ରାଲି, ସଭା କରୁଛନ୍ତି । ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସୁରକ୍ଷା ଦେଉଛି । ସାଧାରଣ ଲୋକ ଯେଉଁଠି କୋଭିଡ ନିୟମ ଉଲ୍ଲଂଘନ କଲେ ଜରିମାନା ଗଣୁଛି ସେତେବେଳେ ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଆଉ ଏଥିରେ ସ୍ୱର ମିଳାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଆଉ ଏଭଳି କହି ଯୋଗୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବରୁଣ ।
ବିଜେପି ଓ ଯୋଗୀ ସରକାରକୁ ଟାର୍ଗେଟ କରିବା ବରୁଣଙ୍କ ପାଇଁ ପ୍ରଥମ ନୁହେଁ । ଏହାପୂର୍ବରୁ ଅନେକ ପ୍ରସଙ୍ଗରେ ଦଳକୁ ଅଡୁଆରେ ପକାଇଛନ୍ତି ବରୁଣ । ଆଉ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ସଂକେତ ଦେଇଛନ୍ତି ଯେ, ଖୁବଶୀଘ୍ର ବରୁଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଦଳ ।