ବିଜେପି ଟିକେଟ ନ ମିଳିଲେ କଣ କରିବେ ବରୁଣ ଗାନ୍ଧୀ? ଦିଲ୍ଲୀରୁ ପ୍ରତିନିଧିଙ୍କୁ ପଠାଇ ୪ ସେଟ୍ ନାମାଙ୍କନପତ୍ର କିଣିଛନ୍ତି ବରୁଣ ।

289

କନକ ବ୍ୟୁରୋ : ବିଜେପି ସାଂସଦ ବରୁଣ ଗାନ୍ଧୀ ଆଗାମୀ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ଏହା ପ୍ରାୟତଃ ସ୍ପଷ୍ଟ । ତେବେ କେଉଁ ଦଳରୁ ବରୁଣ ନିର୍ବାଚନ ଲଢିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କିନ୍ତୁ ଏହା ଭିତରେ ବରୁଣ ଗାନ୍ଧୀଙ୍କ ପ୍ରତିନିଧି ପିଲିଭିତ ପାଇଁ ନାମାଙ୍କନପତ୍ର କିଣିଛନ୍ତି । ବରୁଣଙ୍କ ପ୍ରତିନିଧି ଦିଲ୍ଲୀରୁ ଆସି ୪ ସେଟ୍ ନାମାଙ୍କନପତ୍ର କିଣିବା ସହ ପୁଣିଥରେ ଦିଲ୍ଲୀ ଫେରି ଯାଇଛନ୍ତି ।

ବିଜେପି ଟିକେଟ ନଦେଲେ ମଧ୍ୟ ବରୁଣ ଗାନ୍ଧୀ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଳାଇପାରନ୍ତି । ପୂର୍ବରୁ ୨ଟି ପର୍ଯ୍ୟାୟରେ ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ବରୁଣଙ୍କ ନାଁରେ ଏଯାଏଁ ମୋହର ମାରିନି ବିଜେପି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପିର ସିଇସି ବୈଠକରେ ବରୁଣଙ୍କ ଟିକେଟ ନେଇ ଶେଷ ନିଷ୍ପତ୍ତି ନିଆଯିବ । ବିଜେପିର ରାଜ୍ୟ ନେତୃତ୍ୱ ବରୁଣଙ୍କୁ ଟିକେଟ ନଦେବା ପାଇଁ ଚାପ ପକାଉଛନ୍ତି । ଉତ୍ତରପ୍ରଦେଶର ପିଲିଭିତରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ବିଜେପି କିମ୍ବା ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହି ଆସନରୁ ବିଜେପି ଟିକେଟରୁ ବରୁଣ ଗାନ୍ଧୀ ସାଂସଦ ରହିଛନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଖୁଲମଖୁଲା ବର୍ଷିଛନ୍ତି ବରୁଣ ।

ଏହାପୂର୍ବରୁ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ସଂକେତ ଦେଇଥିଲେ ଯେ, ବରୁଣ ଗାନ୍ଧୀଙ୍କୁ ସମାଜବାଦୀ ପାର୍ଟିରୁ ଟିକେଟ ଦିଆଯାଇପାରେ । ସବୁଦିଗକୁ ବିଚାର କରି ଦଳ ଟିକେଟ ନିଷ୍ପତ୍ତି ନେବ ବୋଲି କହିଥିଲେ ଅଖିଳେଶ । ପିଲିଭିତ ଆସନକୁ ନେଇ ଅଖିଳେଶ ଦଳୀୟ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିଛନ୍ତି । ଏପରିକି ବୈଠକରେ ବରୁଣଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିବା କହିଛନ୍ତି ସମାଜବାଦୀ ପାର୍ଟିର ପିଲିଭିତ ଜିଲ୍ଲା ମୁଖ୍ୟ ।