ଜୀବନ ଥିବା ଯାଏଁ ପିଲିଭିତ ସହ ସମ୍ପର୍କ ଶେଷ ହେବନି । ଜନତାଙ୍କ ଉଦ୍ଦେଶ୍ୟରେ ଲେଖିଲେ ଚିଠି, କହିଲେ ମୁଁ ପିଲିଭିତର ଥିଲି, ଅଛି ଏବଂ ରହିବି ।

244

କନକ ବ୍ୟୁରୋ : ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀଙ୍କର ଟିକେଟ କାଟିଛି ବିଜେପି । ଏହାପରେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ବରୁଣ ଗାନ୍ଧୀ । ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପିଲିଭିତକୁ ଆସିବା ଠାରୁ ସାଂସଦ ଭାବେ ନିର୍ବାଚିତ ହେବା ପର୍ଯ୍ୟନ୍ତ ସମସ୍ତ କଥା ଉଲ୍ଲେଖ କରିଛନ୍ତି ବରୁଣ । ଏହାସହ ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ ପିଲିଭିଜ ଜନତାଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ରଖିଛନ୍ତି ।

ବରୁଣ କହିଛନ୍ତି, ସାଧାରଣ ଲୋକଙ୍କ ସ୍ୱର ସାଜିବାକୁ ରାଜନୀତିକୁ ଆସିଥିଲି । ଆଜି ମଧ୍ୟ ଏହି ଆଶୀର୍ବାଦ ମାଗୁଛି ଯେ, ଏଭଳି କାର୍ଯ୍ୟ ସବୁବେଳେ କରୁଥାଏ । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ୧୯୮୩ ମସିହାରେ ୩ ବର୍ଷର ଶିଶୁ ନିଜ ମା’ଙ୍କ ହାତ ଧରି ପିଲିଭିତ ଆସିଥିଲା । ସେତେବେଳେ ଶିଶୁକୁ ଜଣାନଥିଲା ଯେ, ପିଲିଭିତ ହିଁ ତାଙ୍କର କର୍ମଭୂମି ହୋଇଯିବ ବୋଲି । ପିଲିଭିତର ଜନତା ସେବା କରିବାକୁ ସୁଯୋଗ ଦେଇଥିବାରୁ ନିଜକୁ ଭାଗ୍ୟବାନ ମଣୁଛି । ପିଲିଭିତରୁ ଜନପ୍ରତିନିଧି ହେବା ମୋ ଜୀବନର ସବୁଠୁ ବଡ ସମ୍ମାନ । ଏ ମାଟିର ହିତ ପାଇଁ ସବୁବେଳେ ସ୍ୱର ଉଠାଇଛି ।

ସାଂସଦ ଭାବେ ମୋର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କିନ୍ତୁ ପିଲିଭିତ ସହ ମୋର ସମ୍ପର୍କ ଜୀବନ ଥିବା ଯାଏଁ ରହିବ । ସାଂସଦ ଭାବେ ନହେଲା ନାହିଁ ବରଂ ମାଟିର ପୁଅ ଭାବେ ପିଲିଭିତର ସେବା କରିବାକୁ ମୁଁ ପ୍ରତିବଦ୍ଧ । ପିଲିଭିତର ଲୋକଙ୍କ ପାଇଁ ମୋ ଘର ଦ୍ୱାର ସବୁବେଳେ ଖୋଲା । ମୁଁ ପିଲିଭିତର ଥିଲି, ଅଛି ଏବଂ ରହିବି ।