କନକ ବ୍ୟୁରୋ : ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଦେଶର ବେରୋଜଗାର ଯୁବକଙ୍କୁ ଚାକିରୀ ଦେବାରେ ସଫଳ ହେଉଛନ୍ତି ନା ସ୍ୱାବଲମ୍ବୀ କରିବା ପାଇଁ ସହାୟତା ଯୋଗାଇ ଦେଉଛନ୍ତି । ଏହାକୁ ନେଇ ସରକାରଙ୍କୁ ବିରୋଧୀମାନେ ବାରମ୍ବାର ଘେରୁଥିବା ବେଳେ ଏବେ ଖୁଦ ବିଜେପି ସାଂସଦ ବରୁଣ ଗାନ୍ଧୀ ବି ବେରୋଜଗାର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।
ୟୁପିରେ ପରୀକ୍ଷା ପଶ୍ନପତ୍ର ଲିକ ଓ ଚାକିରୀ ସମସ୍ୟାକୁ ନେଇ ବରୁଣ ଗାନ୍ଧର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି କେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବେ ଦେଶର ଯୁବକ ।
ଏନେଇ ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “ପ୍ରଥମତଃ ସରକାରୀ ଚାକିରୀ ନାହିଁ, ଏହାରି ମଧ୍ୟରେ କିଛି ସୁଯୋଗ ଯେତେବେଳେ ଆସୁଛି ସେତେବେଳେ ପରୀକ୍ଷା ପଶ୍ନପତ୍ର ଲିକ୍ କରିଦିଆଯାଉଛି, ଯଦି ପରୀକ୍ଷା ହେଉଛି ତେବେ ବର୍ଷ ବର୍ଷ ଧରି ଫଳ ପ୍ରକାଶ ପାଇପାରୁ ନାହିଁ, ଏହି କ୍ରମରେ ରେଳ ବିଭାଗର ଗ୍ରୁପ ଡି ପାଇଁ ପରୀକ୍ଷା ଦେଇଥିବା ଦେଢ କୋଟି ଯୁବକ ଦୁଇବର୍ଷ ଧରି ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି । ସେନା ନିଯୁକ୍ତିରେ ବି ସ୍ଥିତି ସମାନ, ହେଲେ କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବେ ଦେଶର ଯୁବକ”
କହିରଖୁ କି ଗାନ୍ଧୀ ପରିବାର ଆଉଜଣେ ଦାୟଦ ଭାବେ ବରୁଣ ଗାନ୍ଧୀ ଓ ତାଙ୍କ ମା ମେନକା ଗାନ୍ଧୀ ଆରମ୍ଭରୁ ବିଜେପି ସହିତ ରହିଛନ୍ତି । ମେନକା ଅନେକ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି । ହେଲେ ଏବେ ବରୁଣ ଓ ମେନକା ବିଜେପିରେ ଅଲୋଡା ହୋଇପଡୁଥିବା ନଜରକୁ ଆସିଛି । ବରୁଣ ଗାନ୍ଧୀ ଜଣେ ଶିକ୍ଷିତ ଯୁବକ ଓ ବିଜେପିର ସାଂସଦ ହୋଇଥିଲେ ବି ଦଳ ତାଙ୍କୁ ଯେତିକି ପ୍ରାଧାନ୍ୟ ଦେବା କଥା ତାହା ଦେଉନାହିଁ । ସେପଟେ କୃଷକ ଆନ୍ଦୋଳନ ଆରମ୍ଭ ହେବା ଠାରୁ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ବରୁଣ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି ।
Follow Us